ଜଳେଶ୍ଵର: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏବଂ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ରାଜସ୍ବ ଫାଙ୍କି ବିଭିନ୍ନ ସାମଗ୍ରୀ ପ୍ରତିଦିନ ଚୋରା ଚାଲାଣ ହେଉଛି। ପଶ୍ଚିମବଙ୍ଗକୁ ଉତ୍ତର ସୀମାନ୍ତରେ ଥିବା ଜଳେଶ୍ଵର ହେଉଛି ପ୍ରମୁଖ ପଥ। କେବଳ ଜଳେଶ୍ଵର ନୁହେଁ, ଭୋଗରାଇର ବିସ୍ତୀର୍ଣ୍ଣ ଅଞ୍ଚଳ ମଧ୍ୟ ପଶ୍ଚିମବଙ୍ଗ ସୀମାକୁ ଲାଗିଛି। କୁହାଯାଇଛି ଓଡ଼ିଶାର ୯୧ଟି ଗାଁ ସହ ପଶ୍ଚିମବଙ୍ଗ ସୀମା ଲାଗିକି ରହିଛି। ୧୬ ନମ୍ବର ଜାତୀୟ ରାଜପଥ, ଜଳେଶ୍ଵର ସୁନାକଣିଆ ସଡ଼କ ଏବଂ ଚନ୍ଦନେଶ୍ଵର-ଦୀଘା ରାସ୍ତା ବ୍ୟତୀତ ସଂପୃକ୍ତ ଗାଁଗୁଡ଼ିକ ଦେଇ ପଶ୍ଚିମବଙ୍ଗଙ୍କୁ ଶତାଧିକ ସଂଖ୍ୟାରେ ଗଳାବାଟ ରହିଛି। ଯେଉଁ ବାଟ ଚୋରା ଚାଲାଣର ମାଧ୍ୟମ ପାଲଟିଛି। ଅପମିଶ୍ରିତ ଓ ନକଲି ସାମଗ୍ରୀ ଏହି ରାସ୍ତାରେ ଚାଲାଣ ହେଉଥିବା ବେଳେ ଯାଞ୍ଚ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପଶ୍ଚିମବଙ୍ଗର କୋଲକାତା, ଖଡ଼ଗପୁର, ବେଲଦା, ଦାନ୍ତୁନ ସହ ଅନ୍ୟ ଅଞ୍ଚଳରେ ବହୁ ସଂଖ୍ୟାରେ ନକଲି ଖାଇବା ତେଲ, ସାବୁନ, ସର୍ଫ, ବିଦେଶୀ ମଦ, ମୋବିଲ୍, ତେଜରାତି ସାମଗ୍ରୀ, ପାନ ମସଲା, ବିଡ଼ି, ସିଗାରେଟ୍, ସାମ୍ପୋ ସହ ଅନ୍ୟ ପ୍ରସାଧନ ସାମଗ୍ରୀ ତଥା ଜରୁରୀ ସାମଗ୍ରୀ ତିଆରି କାରଖାନା ରହିଛି। ଯେଉଁଠୁ ସବୁ ନକଲି ସାମଗ୍ରୀରେ ବିଶିଷ୍ଟ କମ୍ପାନିଗୁଡ଼ିକର ଅବିକଳ ଲୋଗୋ ବ୍ୟବହାର କରାଯାଇ ଓଡ଼ିଶାକୁ ଚାଲାଣ ହେଉଛି।
କେବଳ ପଶ୍ଚିମବଙ୍ଗରୁ ଏସବୁ ନକଲି ସାମଗ୍ରୀ ଯେ ଆସୁଛି, ତାହା ନୁହେଁ। ଓଡ଼ିଶାର ଜଳେଶ୍ଵର, ବସ୍ତା, ବାଲେଶ୍ଵର, ରେମୁଣା ସହ ଭଦ୍ରକ ଏବଂ ଅନ୍ୟ ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ଅପମିଶ୍ରିତ ଓ ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି। ଏମିତି ଅନେକ ସାମଗ୍ରୀ ରହିଛି ଯେଉଁଗୁଡ଼ିକର ଦର ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ ରହିଛି ଏବଂ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାରେ ଅଧିକ ରହିଛି। ସବୁଠାରୁ ବଡ଼କଥା ହେଲା; ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍ଗୁଡ଼ିକରେ ଏସବୁ ଅପମିଶ୍ରିତ ଓ ନକଲି ସାମଗ୍ରୀ ନିୟମିତ ଚାଲାଣ ହେଉଥିବା ଅଭିଯୋଗ ଆସିଛି। ଏନେଇ ପ୍ରଶାସନ ପାଖରେ ଖବର ରହିଛି। ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଉନି। ତେବେ ଏ ଦିଗରେ ପ୍ରଶାସନ ସଜାଗ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।