କୋଟିଆ ବିବାଦ ସମାଧାନ ପାଇଁ କେନ୍ଦ୍ର ମୁଣ୍ଡ ପୁରାଉ: ସିପିଆଇ

ଜୟପୁର: କୋଟିଆ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମୁଣ୍ଡ ପୁରାଇବାକୁ ପଡ଼ିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟରେ ଗତ କାଲି ଓଡିଶା ସରକାର ୪ସପ୍ତାହ ସମୟ ନେବା ନିଶ୍ଚିତ ରୁପେ ଘଟଣାକୁ କିଛି ଗୋଳମାଳିଆ କରୁଛି। ୧୯୩୬ମସିହାରେ ମାଡ୍ରାସ ପ୍ରଭିନସର ଜୟପୁର ଜମିଦାରୀର ପଟାଙ୍ଗୀ ତାଲୁକା ଅଧିନରେ ଥିବା କୋଟିଆ ଗ୍ରାମପୁଂଜ କୋରାପୁଟ ଜିଲ୍ଲାରେ ମିଶିଥିଲା। ୧୯୬୮ମସିହାରେ ଉଠିଥିବା ବିବାଦକୁ ପୁଣି ୨୦୦୬ରେ ସୁପ୍ରିମକୋର୍ଟ ଶୁଣାଣୀ କରିଥିଲେ। ତେବେ ସେ ସମୟରେ ଦେଇଥିବା ନଥିପତ୍ର, ଦଲିଲ ସବୁ ରାଜ୍ୟସରକାରଙ୍କ ନିକଟରେ ରହିଛି। ଏହା ବାଦେ ଏବେ ବି ସବୁ ରକମର କାଗଜପତ୍ର, ଦଲିଲ ରହିଛି। ଏପରିସ୍ଥିତିରେ ସମୟ ନେବା କେତେ ଦୁର ଯୁକ୍ତିଯୁକ୍ତ।

ଏହାରି ମଧ୍ୟରେ ଏତେ ବର୍ଷ ହେବ ବିବାଦ ବି ଲାଗି ରହିଛି। ଉଭୟ ସରକାର କୋଟିଆ ଗ୍ରାମପୁଂଜର ୩ଟି ଗାଁକୁ ନିଜର ନିଜର କହୁଛନ୍ତି। ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ସର୍ବଦଳୀୟ କମିଟି ଗଠନ କରି ଅଂଚଳର ଗସ୍ତ କରାଇ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଉକ୍ତ ରିପୋର୍ଟକୁ କେନ୍ଦ୍ର ନିକଟରେ ଦାଖଲ କରି ବିବାଦର ସମାଧାନ ପାଇଁ କେନ୍ଦ୍ର ବି ସର୍ବଦଳୀୟ କମିଟି ଗଠନ କରି ଏହାର ଯାଂଚ କରିବାକୁ ପଡ଼ିବ। କେନ୍ଦ୍ର ଏଥିରେ ହସ୍ତକ୍ଷେପ ନ କଲେ ସମସ୍ୟାର ସମାଧାନ ହୋଇ ପାରିବନି। ସେଭଳି ରାଜ୍ୟପାଳ ବି ଏ ନେଇ କେନ୍ଦ୍ରକୁ ଅବଗତ କରାନ୍ତୁ ବୋଲି ଦାବି କରିଛନ୍ତି।

କାଦୁଅ ପିଙ୍ଗା ରାଜନୀତିରୁ ଦୁରରେ ରହି ଦଳମତ ନିର୍ବିଶେଷ ଓଡିଶା ମା, ମାଟି ପାଇଁ ଏକଜୁଟ ହେବାକୁ ପଡ଼ିବ। କିଭଳି କୋଟିଆ ଗ୍ରାମପୁଂଜ ଓଡିଶାର ହୋଇ କି ରହିବ ସେ ଦିଗରେ ମିଳିତ ପ୍ରୟାସ କରିବାକୁ ପଡ଼ିବ। କେବଳ କୋଟିଆ ନୁହେଁ ଅନ୍ୟ ରାଜ୍ୟ ସୀମାନ୍ତ ଅଂଚଳ ପାଇଁ ବେଳ ଥାଉଣୁ ରାଜ୍ୟସରକାର ପ୍ରସ୍ତୁତ ହୁଅନ୍ତୁ ନଚେତ ପରବର୍ତ୍ତୀ ସମୟରେ ପଶ୍ଚତାପ କରିବାକୁ ପଡ଼ିବ। ଏହି ସମ୍ବାଦିକ ସମ୍ମିଳନୀରେ ସିପିଆଇ ଜିଲ୍ଲାସଂପାଦକ ଯୁଧିଷ୍ଠିର ରାଉଳ, ଶ୍ରମିକ ନେତା ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାଶ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର