ସ୍କୁଲ ଅଧ୍ୟକ୍ଷା ହତ୍ୟା ଘଟଣାର ପ୍ରତିବାଦ କଲା ସିପିଆଇ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ଠାରେ ସିପିଆଇ(ଏମ) ପକ୍ଷରୁ କଳାହାଣ୍ଡିର କଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେରଙ୍କୁ ସେହି ଅନୁଷ୍ଠାନର ମାଲିକଙ୍କ ଦ୍ବାରା ହତ୍ୟା କରିବା ଘଟଣାକୁ ନେଇ ପ୍ରତିବାଦ ସଭା କରାଯାଇଛି। ସିପିଆଇ(ଏମ)ର ଜୋନ ସଂପାଦକ ବ୍ରଜ ମାଝୀଙ୍କ ନେତୃତ୍ବରେ ଶତାଧିକ କର୍ମୀ କୋରକୋଣ୍ଡା ଠାରେ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ହତ୍ୟାକାରୀଙ୍କ ସହ ରାଜ୍ୟ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ନିବିଡ ସଂପର୍କ ଦୀର୍ଘ ଦିନରୁ ରହିଥିବା ଆଲୋଚନା ହେଉଛି। ଗୃହମନ୍ତ୍ରୀଙ୍କର ଚାପ ଯୋଗୁଁ ସ୍ଥାନୀୟ ପୁଲିସ ହେପାଜତରୁ ହତ୍ୟାକାରୀ ଖସିଯିବା ସମ୍ଭବ ହୋଇଥିବା ଅଭିଯୋଗ କରାଯାଇଛି। ମହାଲିଙ୍ଗର ଲୋମହର୍ଷଣକାରୀ ସୁପରିକଳ୍ପିତ ହତ୍ୟାକାଣ୍ଡ ସହିତ ରାଜ୍ୟରେ ମହିଳାଙ୍କ ପ୍ରତି ବିଦପ ବଢିବା ସହ ହତ୍ୟା, ପୁଲିସ ହାଜତରେ ମୃତ୍ୟୁ, ଚୋରି ଡକାୟତି, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟରେ ପୁଲିସର ବ୍ୟବସ୍ଥା ସ୍ଥାଣୁ ପାଲଟିଛି। ପରେ ସିପିଆଇ(ଏମ) ତରଫରୁ ମହାଲିଙ୍ଗ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶଂକର ମିଶ୍ରଙ୍କର ସଂଦେହ ଜନକ ଭୂମିକା ଯୋଗୁଁ ତାଂକୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା, ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ବାରା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ କରିବା ନେଇ ଦାବି କରାଯାଇଥିଲା। ମମିତାଙ୍କ ପରିବାରକୁ ତୁରନ୍ତ ଏକ କୋଟି ଟଂକାର ସହାୟତା ରାଶି ପ୍ରଦାନ କରିବା ନେଇ ଦାବି କରାଯାଇଥିଲା। ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭୁପେଷ କର୍ମକାର, ବଳରାମ ଗଲୋରୀ, କୃଷ୍ଣ ପାଣ୍ଡୀ, ଦେବେନ୍ଦ୍ର ପଡିଆମୀ, ବୁଧୁ ମାଝୀ, ନିଧୀ ହନ୍ତାଳ, ଅଭି ହନ୍ତାଳ, ପଦେ ପଡିଆମି, ଜୟନ୍ତୀ ବାର୍ସେ, ପାର ପଡିଆମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର