ସିପିଆଇ(ଏମଏଲ)ଲିବେରେସନ ବିକ୍ଷୋଭ ପ୍ରଦର୍ଶନ ଓ ୧୮ ଦଫା ଦାବି ପତ୍ର ପ୍ରଦାନ

ରାୟଗଡା: ଆଜି ସିପିଆଇ(ଏମଏଲ) ଲିବେରସନ ରାମନାଗୁଡା ବ୍ଲକ କମିଟି ପକ୍ଷରୁ ଭଗତ ସିଂ ରାଜଗୁରୁ ଓ ସୁକଦେବଙ୍କ ୬୯ତମ ଶ୍ରଦ୍ଧାଞ୍ଜଳି ଦିବସରେ ଖିଲାପଦର ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ସିପିଆଇ(ଏମଏଲ)ଲିବରେସନର ଜିଲ୍ଲା ସଂପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଏକ ବିରାଟ ରାଲିରେ ବାହାରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ୧୮ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରୁ ଗୁଣପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରାଯାଉ। ଗୁଲୁନ୍ତି ପଞ୍ଚାୟତର ତାମିଲଗୁଡା ଗାଁର ଆଦିବାସୀମାନେ ଆଜକୁ ୫୦ ବର୍ଷ ଧରି ଯେଉଁ ୧୦ ଏକର ଜମିରେ ରହିଆସୁଛନ୍ତି, ସେମାନଙ୍କୁ ଜମିର ପଟ୍ଟା ଅତିଶୀଘ୍ର ଯୋଗାଇ ଦିଆଯିବାକୁ ଦାବି କରାଯାଇଛି । ସେହିପରି ରାମନାଗୁଡା ବ୍ଲକ ନିକଟ ତାମିଲିଗୁଡା ନାଳରେ ଝୁଲା ବ୍ରିଜ ଏବଂ ଲହରୀ ଗାଡା ନାଳକୁ ଜଳପ୍ରକଳ୍ପ କରି ଚାଷୀଙ୍କୁ ଜଳସେଚନ ଯୋଗାଇ ଦିଆଯାଉ। ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତର ଲାଉଗୁଡ଼ା ଗ୍ରାମର ଅଂଚଳ ଭିତରେ ଆନ୍ଧ୍ରପ୍ରଦେଶର କିଛି ଲୋକ ଓଡିଶା ସୀମା ଭିତରେ ରହିଥିବା ଜମି ହଡପ କରିଛନ୍ତି ଆଉ ଏହାକୁ ବାହାର କରି ଲାଉଗୁଡ଼ା ଗାଁର ଆଦିବାସୀମାନଙ୍କ ମଧ୍ୟରେ ପଟ୍ଟା ବଣ୍ଟନ କରାଯାଉ।

ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତର କାଟିକି – ପାଲିକିଡାଗଂ- ଆଚବା ଓ ଅନ୍ୟାନ୍ୟ ପଞ୍ଚାୟତରେ ଆନ୍ଧ୍ର ଜମିଦାରମାନେ ଆଦିବାସୀମାନଙ୍କ ଭୋଗ ଦଖଲ କରିଥିବା ୨୦୦ ଏକର ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରାଯାଇଥିବାର ସିପିଆଇ(ଏମଏଲ) ପକ୍ଷରୁ ଅଭିଯୋଗ କରାଯାଇଛି | ଉକ୍ତ ଜମିକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ଆଦିବାସୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ। ଗ୍ରାମୀଣ କ୍ଷେତ ମୁଲିଆମାନଙ୍କୁ ଏମଜିଏନଆରଜିଏ କାମରେ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ ଯୋଗାଇଦିଆଯାଉ। ଖାଦ୍ୟ ସୁରକ୍ଷା ଆଇନରେ ରାସନକାର୍ଡ ଧାରୀଙ୍କୁ ୫୦ କେଜି ଚାଉଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ। ସେହିପରି ରାମନାଗୁଡା ବ୍ଲକରେ ଜବକାର୍ଡଧାରିମାନଙ୍କ ଖାତାକୁ ଠିକାଦାରମାନେ ପୋଷ୍ଟାଲ ଓ ଅନ୍ୟାନ୍ୟ ବ୍ୟାଙ୍କ ଗୁପ୍ତ ଖାତା କରି ଟଙ୍କା ଠକୁଛନ୍ତି। ଏହାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବନ୍ଦ କରିବା ସହ ୨୦୨୦ ଜଙ୍ଗଲ ସଂରକ୍ଷଣ ଆଇନ ପ୍ରତ୍ୟାହାର କରାଯାଉ। ୨୦୨୨ ବିଦ୍ୟୁତ ଆଇନକୁ ରଦ୍ଦ କରିବା ସହ ବିଦ୍ୟୁତ ଦରଦାମ ବୃଦ୍ଧି ବନ୍ଦ କରାଯାଉ। ରାମନାଗୁଡା ତହସିଲ ଏରିଆର ରାଜସ୍ବ ନିରୀକ୍ଷକ ଓ ଅମିନଙ୍କ ଦ୍ଵାରା ଆଦିବାସୀମାନଙ୍କ ଦଖଲ ଥିବା ଜମିକୁ ଚିହ୍ନଟ କରିବା ପାଇଁ ମାସିକ ୧୫ ଦିନ ସର୍ଭେ କରାଯାଉ। ସୌରା ଭାଷା ଓ ଲିପିକୁ ସମ୍ବିଧାନୀ ଅଧିକାର ଦିଆଯାଉ। ରାମନାଗୁଡା ବ୍ଲକରେ ଆଦିବାସୀମାନଙ୍କ ପାଇଁ ଟିଡିସିସି କେନ୍ଦ୍ର ଖୋଲି ଜଙ୍ଗଲଜାତ ଦ୍ରବ୍ୟ ମହୁଲ, ତେନ୍ତୁଳି, ଝୁଣା, ଛାଞ୍ଚୁଣି କିଣିବା ବ୍ୟବସ୍ଥା କରାଯାଉ ଭଳି ଦାବି କରିଥିଲେ |

ସମ୍ବନ୍ଧିତ ଖବର