ପୋଲାଭରମ ଯୋଗୁଁ ଓଡିଶାର କ୍ଷୟକ୍ଷତି ନେଇ ସିପିଆଇ(ଏମ)ର ବିକ୍ଷୋଭ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିପିଆଇ(ଏମ) ପକ୍ଷରୁ ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡିଶାର ବ୍ୟାପକ କ୍ଷୟକ୍ଷତି ହେବା ନେଇ ସିପିଆଇ(ଏମ) ଜୋନ ସଂପାଦକ ବ୍ରଜ ମାଝୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀର ତଳମୁଣ୍ଡରେ ଜାତୀୟ ପ୍ରକଳ୍ପ ଘୋଷିତ ବୃହତ ଜଳଭଣ୍ଡାର ଯୋଗୁଁ ଓଡିଶାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଘୋର ବିପଦର ସମ୍ମୁଖୀନ ହେବ। ଗୋଦାବରୀ ନଦୀର ଶେଷ ମୁଣ୍ଡରେ ୧୮୨ ଫୁଟ୍‌ ଉଚ୍ଚତା କରାଯାଇ ଜଳକୁ ରୋକାଯିବା ନେଇ ପଚାଶ ଦଶକରୁ ପରିବେଶ୍‌ବିତ ଏବଂ ଜଳସମ୍ପଦ ବିଭାଗ ଆପତ୍ତି କରିଆସୁଥିଲେ ମଧ୍ୟ ସରକାରଙ୍କର ଜିଦ୍‌ଖୋର ମନୋଭାବ ଏବଂ କେନ୍ଦ୍ର ସରକାରଙ୍କର ରାଜନୈତିକ ଦୃଷ୍ଟି ଭଙ୍ଗିରୁ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦିଆଯାଇ ପ୍ରକଳ୍ପ କାର୍ଯ୍ୟକୁ ଦ୍ରୁତଗତିରେ ତ୍ବରାନ୍ବିତ କରାଯାଉଛି।

୨୦୦୮ ମସିହାରେ ସିପିଆଇଏମର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏକ ମକଦ୍ଦମା ଦାୟର କରିଥିଲେ। ଯାହା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏଥିସହ ରାଜ୍ୟ ସରକାର ମଧ୍ୟ ମକଦ୍ଦମା ଦାୟର କରିଥିବା ବେଳେ ତାହା ମଧ୍ୟ ବିଚାରଧୀନ ରହିଛି। ଏଣୁ ଆନ୍ଧ୍ରପ୍ରଦେଶର ୮୦ଟି ଗ୍ରାମକୁ ପ୍ରକଳ୍ପ ପାଇଁ ଉଚ୍ଛେଦ କରାଯାଇସାରିଲାଣି। ମୋଟୁ ଠାରୁ ମାତ୍ର ୧୦ କିଲୋମିଟର ଦୁରରେ ରହିଥିବା ଆନ୍ଧ୍ର ପ୍ରଦେଶର ଚିନ୍ତୁର ଗ୍ରାମକୁ ତୁରନ୍ତ ହଟିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ ଜାରି କରାଯାଇ ସାରିଲାଣି।

ମୋଟୁ ଅଂଚଳବାସୀ ମଧ୍ୟ ଜଳମଗ୍ନ ହେବା ନେଇ ଏବେ ଭୟଭୀତ ହୋଇଛନ୍ତି। ମୋଟୁ ଅଂଚଳ ଜଳମଗ୍ନ ହେବା ସହ ଜମି, ଜଂଗଲ, ଚାଷ ଜମି ଆଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ରାଜ୍ୟ ସରକାର ଓଡିଶାର କେତେ ଜମି, ଜଂଗଲ ଏବଂ ଗ୍ରାମ ଜଳମଗ୍ନ ହେବ ତାହାର ଆକଳନ ଏବେ ସୁଦ୍ଧା କରିନାହିଁ। କେବଳ କୋର୍ଟରେ ମକଦ୍ଦମା କରି ନିଜର କାମ ସାରିଦେଇଥିବା ସିପିଆଇଏମ ଅଭିଯୋଗ କରିଛି। ଏହି ପ୍ରକଳ୍ପର ଉଚ୍ଚତା କମାଯାଇପାରିଲେ ଓଡିଶାର କ୍ଷତି କମ୍ ହେବ ବୋଲି କୁହାଯାଇଛି। ଏଦିଗରେ ରାଜ୍ୟ ସରକାର ଫଳପ୍ରଦ ପଦକ୍ଷେପ ନେବାରେ ବିଫଳ ହୋଇଛି। ତେବେ ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର