ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ବାପ-ପୁଅ ଗୁରୁତର, କଟକ ସ୍ଥାନାନ୍ତର

ଯାଜପୁର: ଆଗକୁ ଦଶହରା ଓ ଦୀପାବଳି ଥିବାରୁ ବାଣ ବିକ୍ରି କରିବା ପାଇଁ ବାପ-ପୁଅ ଉତ୍ସାହିତ ଥିଲେ। ଏଥି ପାଇଁ ସେମାନେ କାମକୁ ତୀବ୍ର କରିଥିଲେ। ମାତ୍ର ଶନିବାର ସେମାନେ ବାଣ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ବାଛଳ ଗ୍ରାମରେ ଆଜି ବାଣ ଭିଡୁଥିବା ବେଳେ ବାପ ଓ ପୁଅ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ବାଛଳ ଗ୍ରାମର ରମାକାନ୍ତ ସାହୁ(୪୮) ଓ ତାଙ୍କ ପୁଅ ସୌଭାଗ୍ୟ ରଂଜନ ସାହୁ (୨୮) ନିଜର ଚାଳ ଘରେ ବାଣ ତିଆରି କରୁଥିଲେ। ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ବାଣ ଭିଡୁଥିବା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଚାଳଘର ଜଳି ଯାଉଥିବା ବେଳେ ଗାଁ ଲୋକେ ଗୁରୁତର ଅବସ୍ଥାରେ ବାପ ଓ ପୁଅଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରିଥିଲେ। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର