ଜୟପୁର: ଚଳିତବର୍ଷ କରୋନାକୁ ନେଇ ସରକାର କଟକଣା କରିଥିବାବେଳେ ସହରବାସୀ ମାନିଲେନି କଟକଣା। ସନ୍ଧ୍ୟାରେ କିଛି ଜଣା ପଡୁ ନ ଥିବାବେଳେ ରାତି ବଢିବା ବେଳକୁ ବଢିଥିଲା ଢୋ… ଢା…। ଠୋ..ଠା ଶବ୍ଦ ରାତି ବେଳକୁ ତୀବ୍ର ହୋଇଥିଲା। କରୋନା ହେତୁ ଆଲୋକର ପର୍ବ ଦୀପାବଳି ସାରା ଭାରତ ବର୍ଷରେ ଫିକା ପଡିଥିବା ବେଳେ ଜୟପୁର ସହରରେ ମଧ୍ୟ କିନ୍ତୁ ଦୀପାବଳି ଭିନ୍ନ ଭାବେ ଦେଖିବାକୁ ମିଳିଥିଲା। ସରକାରଙ୍କ କଡା ନର୍ଦ୍ଦେଶ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । କରୋନା କାଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନର ବାରଣ ସତ୍ୱେ ଜୟପୁର ସହରାଂଚଳରେ କିଛି ଅମାନିଆ ବ୍ୟବସାୟୀ ବାଣ ବିକ୍ରି କରିବା ସହ କିଛି ଅମାନିଆ ଲୋକ ବାଣ ଫୁଟାଇଛନ୍ତି । ସହର ସାରା ରଙ୍ଗୀନ ଆଲୋକମାଳାରେ ସଜେଇ ଘର ସମ୍ମୁଖରେ ଦୀପ ଲଗାଇ ଆନନ୍ଦ ସହକାରେ ଦୀପାବଳି ପାଳିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଲୋକର ପର୍ବ ଦୀପାବଳି ପାଇଁ ଜୟପୁରରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। ଦୀପାବଳି ପାଇଁ ବାଣ ଦୋକାନ ଖୋଲାଯାଇ ନ ଥିଲେ ମଧ୍ୟ ସହର ଓ ସହର ଉପକଣ୍ଠରେ ଥିବା ବାଣ ବ୍ୟବସାୟୀଙ୍କ ଦୋକାନରେ ପ୍ରବଳ ଗହଳି ହୋଇଥିଲା। ପୂରା ପ୍ରତିଯୋଗିତା ଭାବରେ ଲୋକମାନେ ଘରକୁ ବାଣ ବୋହି ନେଇଥିଲେ। ଏହା ପ୍ରତିଫଳନ ଦେଖିବାକୁ ମିଳିଥିଲା ଦୀପାବଳି ସନ୍ଧ୍ୟାରେ। ସନ୍ଧ୍ୟା ସମୟରେ ସହରବାସୀ ଘରେ ପାରମ୍ପରିକ ପୂଜାପାଠ କରିବାସହ ଦୀପ ଜାଳିଥିଲେ। କାଉଁରିଆ କାଠି ଜାଳି ପୂର୍ବପୂରଷଙ୍କୁ ପୂଜା କରିଥିଲେ। ନୂଆ ଚୂଡ଼ା ମଧ୍ୟ ଖାଇଥିଲେ। ଏଥିସହ ଲୋକମାନେ ଘରକୁ ଲିଚୁ, ରଙ୍ଗୀନ ଲାଇଟ ଓ ଦୀପରେ ସଜାଇଥିଲେ।
୬ଟା ପରେ ଆରମ୍ଭ ହୋଇଥିଲା ବାଣ ଫୁଟା। ଛୋଟ ଛୋଟ ପିଲାମାନେ ଫ୍ୟାନ୍ସି ବାଣ ଫୁଟାଇଥିଲେ। ଅବିଭାବକଙ୍କ ସହ ମିଶି ସେମାନେ ଧପଧପି, ଝୁରଝୁରୀ, ସାପ, ଦିଆସିଲି କାଠି, ସପ୍ତରଙ୍ଗୀ ଓ ଚକ୍ରୀ ବାଣର ମଜା ନେଇଥିଲେ। ରଙ୍ଗବେରଙ୍ଗ ବାଣ ଫୁଟାଇ ସେମାନେ ଘର ଭିତରକୁ ଫେରିବାବେଳକୁ ଶବ୍ଦ କରୁଥିବା ବାଣଫୁଟା ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ପ୍ରକାରର ବମ୍, ସଟସ୍, ଚେଙ୍ଗା, ରକେଟ ଆଦି ବାଣ ଫୁଟିଥିଲା। ପ୍ରଚଣ୍ତ ଶବ୍ଦ ସାଙ୍ଗକୁ ପ୍ରବଳ ଧୂଆଁ ଜୟପୁର ଆକାଶକୁ ଛାଇ ଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଲୋକମାନେ ବାଣ ଫୁଟାଉଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ବାଣ ଫୁଟୁଥିଲା।
ରାତି ସୁଦ୍ଧା କେବଳ ଜୟପୁର ସହରରେ ଲକ୍ଷାଧିକ ଟଙ୍କାର ବାଣ ଫୁଟିଥିବାର ଆକଳନ କରାଯାଉଛି। ପ୍ରଶାସନ ପକ୍ଷରୁ ବାଣ ବିକ୍ରି ଉପରେ ରୋକ ଲଗାଇଥିବାବେଳେ କିପରି ବାଣ ଆସିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ପୁଲିସ ଓ ପ୍ରଶାସନ ଜାଣି ଅଜଣା ରହିବାରୁ ସହରରେ ବାୟୁ ପ୍ରଦ୍ୟୁଷଣ ବୃଦ୍ଧି ପାଇଥିଲା।