ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁରେ ବାଣ ପ୍ରସ୍ତୁତି ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ ହୋଇଛି। ବାଣ ଜବତ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନଳବଣ୍ଟା ଗାଁର ଲବ ବେହେରା, ଜିତୁ ପ୍ରଧାନ ଓ ରଂଜନ ପ୍ରଧାନ। ତେବେ ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୧୨ ଜଣ ଫେରାର ହୋଇଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପ୍ରୋବେସନ ଆଇପିଏସ୍ ଜି ରାଘବେନ୍ଦ୍ର ରେଡ୍ଡୀ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ, ତହସିଲଦାର ସଦାନନ୍ଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଥାନାଙ୍କ ନେତୃତ୍ୱରେ ୨ ପ୍ଲାଟୁନ ଓଏସ୍ଏପି ଯବାନଙ୍କ ସହିତ ଥାନାର ଅନ୍ୟ ସମସ୍ତ ଅଧିକାରୀ ବେଆଇନ ବାଣ ପ୍ରସ୍ତୁତି ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କଂପାନୀ ବାଣ ଓ ସେଠାରେ ପ୍ରସ୍ତୁତି କରାଯାଇଥିବା ବାଣକୁ ଜବତ କରିଥିଲା। ଏହା ସହିତ ବାଣ ପ୍ରସ୍ତୁତି ସରଂଜାମ ଓ ବାରୁଦ ମଧ୍ୟ ଜବତ ହୋଇଥିଲା।
ରିପୋର୍ଟ ଲେଖାଯିବା ବେଳକୁ ଜବତ ବାଣକୁ ଆଠଟି ମିନିଟ୍ରକରେ ଆଣି ଥାନା ପରିସରରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ନଳବଣ୍ଟା ଗାଁରେ ବର୍ଷ ବର୍ଷ ଧରି ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଏକ କୁଟୀର ଶିଳ୍ପ ପାଲଟିଥିବା ବେଳେ ଗତ ବର୍ଷ ମଧ୍ୟ ଏହି ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବାଣ ଜବତ ହୋଇଛି।
ନଳବଣ୍ଟାରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି କାରଣରୁ ବାଣ ବ୍ୟବସାୟୀଙ୍କ ସହିତ ସେଠାରେ କାମ କରୁଥିବା ଶ୍ରମିକ ଓ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏଠାରେ ଅନେକ ଥର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଛି। ତଥାପି ମଧ୍ୟ ଏହି ଗାଁରେ ବେଆଇନ ବାଣ ପ୍ରସ୍ତୁତି ଆଜି ସୁଦ୍ଧା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇପାରି ନାହିଁ। ଲୁଚାଛୁପାରେ ବାହାର ଅଂଚଳରୁ ଟନ୍ ଟନ୍ ବାରୁଦ ଆଣି ସେଥିରୁ ଭିନ୍ନ ପ୍ରକାର ବାଣ ପ୍ରସ୍ତୁତି କରି ଟ୍ରକ, ବସ୍, ମିନିଟ୍ରକ ସାହାଯ୍ୟରେ ରାତିଅଧିଆ ସେଗୁଡ଼ିକୁ ଗଂଜାମ ଜିଲ୍ଲା, ଜିଲ୍ଲା ବାହରେ ଓ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଉଛି।
ଲକ୍ଷ ଲକ୍ଷ ଟଙ୍କା ଲାଭ ପାଉଥିବା ବାଣ ବ୍ୟବସାୟୀ ନିଜର ଓ ଅନ୍ୟ ପରିବାରର ଧନ ଜୀବନକୁ ଭୟ ନକରି ଅଧିକ ଲାଭ ହେଉଥିବା କାରଣରୁ ପୁଲିସ ପ୍ରଶାସନ ଆଗରେ ଧୂଳି ଦେଇ ଋଷିକୁଲ୍ୟା ନଦୀହିଡ଼, ନଦୀହିଡ଼ ପାର୍ଶ୍ୱ, ପଦର ଜମି ମଧ୍ୟରେ ଅସ୍ଥାୟୀ କାରଖାନା କରି ବାଣ ପ୍ରସ୍ତୁତ କରନ୍ତି।
/sambad/media/post_attachments/wp-content/uploads/2020/11/0a924cf2-99c8-41c5-9135-29bcdd98f8d8-1024x461.jpg)
ଦୀପାବଳି ସମୟରେ ଏହି ବାଣ ପ୍ରସ୍ତୁତି ଜୋର ଧରିଥିବା ବେଳେ ବର୍ଷ ସାରା ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ବେଳେ ମଧ୍ୟ ଲୁଚାଚୁରାରେ ବାଣ ପ୍ରସ୍ତୁତି ଜାରି ରହିଥାଏ। ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାଣ ପ୍ରସ୍ତୁତି ସଂପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇପାରିନ୍ତା, ନଳବଣ୍ଟା ଗ୍ରାମରେ ଲୋକେ ନିରାପଦ ଜୀବନଯାପନ କରିପାରନ୍ତେ। ପ୍ରସ୍ତୁତ ହେଉଥିବା ବାଣକୁ ଆଣି ବାଣ ବ୍ୟବସାୟୀ ମଧ୍ୟରେ ସାହି ଭିତରେ ଲୁଚାଇ ରଖୁଥିବା କାରଣରୁ ଗ୍ରାମବାସୀ ସବୁବେଳେ ଆତଙ୍କିତ ହୋଇ ରହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fireworks-07_Thumb.jpg)