ମାସେ ମଧ୍ୟରେ ସମସ୍ତ କ୍ରସର ୟୁନିଟର ବୈଧତା ଯାଂଚ କରି ସଚଳ ପାଇଁ ଅନୁମତି ଦିଆଯିବ: ଜିଲ୍ଳାପାଳ

ସିଟିଂ କ୍ଲିୟରାନ୍ସ ଓ ବିଦ୍ୟୁତ୍ ଯୋଗାଣ ଦାବିରେ କ୍ରସର ମାଲିକ ସଂଘର ବିକ୍ଷୋଭ

ଖୋର୍ଦ୍ଧା: ଖୋର୍ଦ୍ଧା ଓ ନିକଟରେ ଥିବା କ୍ରସର ୟୁନିଟଗୁଡ଼ିକର ବୈଧତା ନଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ କ୍ରସର ୟୁନିଟଗୁଡ଼ିକୁ ସିଲ କରିବା ଅଭିଯାନ ଇତିମଧ୍ୟରେ ୧୦ ଦିନ ବିତିଯାଇଛି । ଏହାକୁ ନେଇ କ୍ରସର ମାଲିକ ସଂଘ ଓ ପ୍ରଶାସନ ମଧ୍ୟରେ ଚାଲିଥିବା ଛକାପଂଝା ଆଜି ରାଜରାସ୍ତାରେ ପହଂଚିଛି । କ୍ରସର ୟୁନିଟଗୁଡ଼ିକରେ କାମ କରୁଥିବା ପ୍ରାୟ ୨ହଜାର ମାଲିକ, କର୍ମଚାରୀ ଓ ଶ୍ରମିକ ପ୍ରଶାସନର ପଦକ୍ଷେପକୁ ବିରୋଧ କରି ବିକ୍ଷୋଭ ରାଲି ଓ ଧାରଣା ଦେଇଛନ୍ତି ।

ବୁଧବାର ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ କ୍ରସର ମାଲିକ ସଂଘର ନେତୃତ୍ୱରେ ଖୋର୍ଦ୍ଧା ଓ ଆଖପାଖରେ ଥିବା ୪ଶହରୁ ଉଦ୍ଧ୍ୱର୍ କ୍ରସର ୟୁନିଟର ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ମାଲିକ, କର୍ମଚାରୀ ଓ ଶ୍ରମିକମାନେ ନୂଆ ବସ୍‌ଷ୍ଟାଣ୍ଡ ଠାରୁ ରାଲିରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ଏହାପରେ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସଂଘର ଏକ ପ୍ରତିନିଧି ଦଳ ସାକ୍ଷାତ କରି ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଦେଇଥିଲେ ।

ଏହି ଦାବିପତ୍ରରେ ସଂଘ ପକ୍ଷରୁ ଦର୍ଶାଯାଇଛି ଯେ ୪ ଅକ୍ଟୋବର ୨୦୧୯ରେ ତତ୍କାଳୀନ ଜିଲ୍ଳାପାଳ ସୀତାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ, ସ୍ଥାନୀୟ ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ, ଉପଜିଲ୍ଲାପାଳ, ତହସିଲଦାର ଏବଂ କ୍ରସର ମାଲିକ ସଂଘର କର୍ମକର୍ତାଙ୍କ ମଧ୍ୟେରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏଥିରେ ନିଷ୍ପତ୍ତି ହୋଇଥିଲା ଯେ କ୍ରସର ୟୁନିଟ ଗୁଡ଼ିକ ସିଟିଂ କ୍ଲିୟରାନ୍ସ ପାଇଁ ଆବେଦନ କରିବେ । ଏହି ଆବେଦନ ଉପରେ ୨ ମାସ ମଧ୍ୟରେ ଆବଶ୍ୟକ ଯାଂଚ କରି ଅନୁମତି ଦିଆଯିବ । ଏହାପରେ କ୍ରସର ୟୁନିଟଗୁଡ଼ିକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁମତି ମଧ୍ୟ ଆଣିଥିଲେ । ଏହା ମଧ୍ୟରେ ୩ ବର୍ଷ ବିତିବାକୁ ବସିଛି, କିନ୍ତୁ ସେମାନଙ୍କ ସିଟିଂ କ୍ଲିୟରାନ୍ସ ଆବେଦନ ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଅପରପକ୍ଷରେ, ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ୟୁନିଟ୍ଗୁଡ଼ିକୁ ସିଲ କରାଯିବା ସହ ବିଦ୍ୟୁତ୍ ବିଚ୍ଛନ୍ନ କରାଯାଇଛି । ଫଳରେ ଯେଉଁମାନେ ଋଣରେ ଏହି ୟୁନିଟ୍ ବସାଇଛନ୍ତି ସେମାନଙ୍କ ଆର୍ଥିକ ସମସ୍ୟା ସୃଷ୍ଟି ହେବା ସହ ବିଦ୍ୟୁତ୍ ବିଚ୍ଛିନ୍ନ ଦ୍ୱାରା ଶ୍ରମିକଙ୍କ ବାସସ୍ଥାନ ଓ ୟୁନିଟରେ ଅସାମାଜିକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ସେମାନେ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରି କ୍ରସର ୟୁନିଟଗୁଡ଼ିକୁ ବନ୍ଦ କରିଦେଇଛନ୍ତି, ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ସେମାନଙ୍କ ଆବେଦନ ଉପରେ ଅନୁମତି ପ୍ରଦାନ କରନ୍ତୁ । ନଚେତ ଆସନ୍ତା ୨୬ ତାରିଖରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଦିଷ୍ଟକାଳ ଯାଏଁ ଧାରଣା ଦେବେ ।

ଆଲୋଚନା ବେଳେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ କହିଛନ୍ତି ଯେ ୪ଶହରୁ ଉଦ୍ଧ୍ୱର୍ କ୍ରସର ୟୁନିଟ ରହିଛି । ଏହା ମଧ୍ୟରୁ ଅଳ୍ପ କେତେକ ନିଜ ଜାଗାରେ କ୍ରସର ୟୁନିଟ କରିଥିବା ବେଳେ ଶହେରୁ ଉଦ୍ଧ୍ୱର୍ କ୍ରସର ୟୁନିଟ୍ ଶ୍ରୀଜଗନ୍ନାଥଙ୍କ ଜମିରେ ସ୍ଥାପିତ ହୋଇଛି । କ୍ରସର ସଂଘ ସିଟିଂ କ୍ଲିୟରାନ୍ସ ପାଇଁ ୨୧୩ଟି ଆବେଦନ କରିଥିବା କହୁଥିବା ବେଳେ ପ୍ରଶାସନ ନିକଟରେ କେବଳ ୪୮ରୁ ଉଦ୍ଧ୍ୱର୍ ଆବେଦନର ନଥିପତ୍ର ରହିଛି । ଅପରପକ୍ଷରେ ସୁରକ୍ଷା ପାଇଁ ବିଦ୍ୟୁତ୍ ସଂଯୋଗ ଆବଶ୍ୟକତା କଥାରେ ସେଠାରେ ପରବର୍ତୀ ମଂଜୁର ମିଳିବା ଯାଏଁ ଘରୋଇ ବିଦ୍ୟୁତ୍ ସଂଯୋଗ କଥା ବିଚାରକୁ ନିଆଯାଇପାରେ ବୋଲି ଜିଲ୍ଲାପାଳ କହିଥିଲେ । ଯଦି ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି ତେବେ ଅନୁମତିପତ୍ର ସହ ସିଟିଂ କ୍ଲିୟରାନ୍ସର ଆବେଦନ ଯଦି କରିଥାନ୍ତି ତେବେ ୧ ମାସ ମଧ୍ୟରେ ଯାଂଚ କରାଯାଇ କ୍ରସର ୟୁନିଟଗୁଡ଼ିକୁ ସଚଳ ପାଇଁ ଅନୁମତି ଦିଆଯିବ । ତେବେ ଏହା ମଧ୍ୟରେ ୟୁନିଟଗୁଡ଼ିକୁ ଚଳାଇବା ପାଇଁ ଚେଷ୍ଟା କଲେ ଆଇନାନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଳାପାଳ କହିଛନ୍ତି ।

ସମ୍ବନ୍ଧିତ ଖବର