ହୋଇପାରୁନି ଦକ୍ଷତା ଚୟନ, ନିଶ୍ଚିନ୍ତକୋଇଲିରେ ୧୫ ସିଆର୍‌ସିସି ପଦବି ଖାଲି

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୪୧ଟି ପଞ୍ଚାୟତରେ ସର୍ବଶିକ୍ଷା ଯୋଜନା ଦିଗହରା ହୋଇପଡ଼ିଛି। ବିଭିନ୍ନ ପଦବି ଖାଲି ପଡ଼ିଥିବାରୁ ବିଭାଗର ପରିଚାଳନା ଠିକ୍‌ ଭାବେ ହୋଇ ପାରୁ ନ ଥିବା ଅଭିଯୋଗ ଉଠୁଛି। ଅନୁସନ୍ଧାନରୁ ପ୍ରକାଶ, ନିଶ୍ଚିନ୍ତକୋଇଲି ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅଧୀନରେ କଟକ ସଦର ନିର୍ବାଚନମଣ୍ଡଳୀର ୧୪ଟି ଓ ମାହାଙ୍ଗା ନିର୍ବାଚନମଣ୍ଡଳୀର ୨୭ଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତଗୁଡ଼ିକରେ ଥିବା ବିଦ୍ୟାଳୟଗୁଡ଼ିକୁ ତଦାରଖ କରିବା ନିମନ୍ତେ ୨୨ଟି ସିଆର୍‌ସିସି ପଦବି ରହିଛି। ତେବେ ଦୀର୍ଘଦିନ ହେଲା ୧୫ଜଣ ସିଆର୍‌ସିସିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ବେଆଇନ ଭାବେ କେତେଜଣ ସିଆର୍‌ସିସି କାର୍ଯ୍ୟ କରିବା ସହ ବିଭିନ୍ନ ଉପାୟରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଭୟଭୀତ କରାଇ ଆର୍ଥିକ ଶୋଷଣ କରୁଥିବା କେତେକ ଶିକ୍ଷକ ସେମାନଙ୍କ ନାମ ଗୋପନ ରଖି କହିଛନ୍ତି। ତେବେ, ଏହି ଖାଲି ପଡ଼ିଥିବା ୧୫ଟି ସିଆର୍‌ସିସି ପଦବି ପୂରଣ କରାଯିବା ନିମନ୍ତେ ସର୍ବଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ (ଚିଠି ନଂ-୩୪୧୧/୨୧) ଦେଇଥିଲେ। ଏଥିନିମନ୍ତେ ଦରଖାସ୍ତ ଦେବାର ଶେଷ ତାରିଖ ସେପ୍ଟେମ୍ବର ୨୪ ତାରିଖ ଥିଲା।

ଏହି ୧୫ଟି ସିଆର୍‌ସିସି ପଦବି ନିମନ୍ତେ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ପ୍ରାୟ ୬୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନୂତନ ସିଆର୍‌ସିସି ନିଯୁକ୍ତି ନିମନ୍ତେ ଆବେଦନ କରିଥିଲେ। ଅକ୍ଟୋବର ୪ ତାରିଖ ସୁଦ୍ଧା ଏହି ଦରଖାସ୍ତଗୁଡ଼ିକୁ ସର୍ବଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଯିବା ନିମନ୍ତେ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସିଆର୍‌ସିସି ପଦବି ପୂରଣ ନିମନ୍ତେ ‘ଦକ୍ଷତା ଚୟନ ପରୀକ୍ଷା’ କରାଯାଉ ନ ଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ କାରଣରୁ ଏହି ଦକ୍ଷତା ଚୟନ ପରୀକ୍ଷା କରାଯାଉ ନାହିଁ ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି। ଅପରପକ୍ଷରେ ସିଆର୍‌ସିସିମାନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ସେମାନେ ଠିକ୍‌ ଭାବେ ପୂର୍ବପରି ବିଦ୍ୟାଳୟ ପରିଦର୍ଶନ କରୁ ନାହାନ୍ତି। ଏହାର ସୁଯୋଗ ନେଇ ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ନିୟମିତ ଆସୁନାହାନ୍ତି କି’ ବିଦ୍ୟାଳୟର କାଗଜପତ୍ର ସଠିକ୍ ତଦାରଖ ହୋଇପାରୁ ନାହିଁ। ତୁରନ୍ତ ଗଣଶିକ୍ଷା ବିଭାଗ ଓ କଟକ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ନୂତନ ସିଆର୍‌ସିସି ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ଅଚଳାବସ୍ଥାକୁ ଦୂର କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର