ସୁନ୍ଦରଗଡ଼: ଭଷ୍ମା ଥାନା ଲଙ୍କାହୁଡ଼ାର ଜଣେ ବ୍ୟକ୍ତିଙ୍କ କ୍ରେଡିଟ୍ କାର୍ଡ ରଦ୍ଦ କରିବା ବାହାନାରେ ସୁନ୍ଦରଗଡ଼ ଆକ୍ସିସ ବ୍ୟାଙ୍କର ଜଣେ କର୍ମଚାରୀ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଛନ୍ତି। ଏନେଇ ଠକାମିରେ ପଡ଼ିଥିବା ବ୍ୟକ୍ତି ଜଣକ ଟାଉନଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଲଙ୍କାହୁଡ଼ାର ଜଣେ ବ୍ୟକ୍ତିଙ୍କ ନାମରେ ଆକ୍ସିସ ବ୍ୟାଙ୍କରୁ ଏକ କ୍ରେଡିଟ୍ କାର୍ଡ ମିଳିଥିଲା। କିନ୍ତୁ ସେ ତାକୁ ରଦ୍ଦ କରିବାକୁ ବ୍ୟାଙ୍କକୁ ଯାଇ ଜଣେ କର୍ମଚାରୀଙ୍କ ସହାୟତା ଲୋଡ଼ିଥିଲେ। କର୍ମଚାରୀ ଜଣକ ରଦ୍ଦ କରିଦେବେ କହି କାର୍ଡକୁ ନିଜ ପାଖରେ ରଖିନେଲେ।
ଏହା ପରେ ସେ କାର୍ଡ ବ୍ୟବହାର କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ କିଣି ନେଇଥିଲେ। ମାସେ ପରେ ବ୍ୟାଙ୍କରୁ ଟଙ୍କା ଫେରସ୍ତ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ସୂଚନା ଯିବା ପରେ ସେ ଚମକି ପଡ଼ିଥିଲେ। ତୁରନ୍ତ ବ୍ୟାଙ୍କକୁ ଆସି ସମ୍ପୃକ୍ତ କର୍ମଚାରୀଙ୍କୁ ଭେଟି ଏ ସମ୍ପର୍କରେ ପଚାରିବାରୁ ସେ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଠକେଇରେ ପଡ଼ିଥିବା ବ୍ୟକ୍ତି ଜଣକ ଏତଲା ଦେଇଥିଲେ।