ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଲାଗି ରହିଥିବା ଶବଦାହ ସମସ୍ୟା ଖୁବ ଶୀଘ୍ର ଦୂର ହେବାକୁ ଯାଉଛି। ଶବଦାହ ପାଇଁ ନିର୍ମାଣ ହେବ ବିଦ୍ୟୁତ ଚୁଲା। ଏ ନେଇ ପୌର ପ୍ରଶାସନ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଫୁଲବାଣୀ ସହର ୱାର୍ଡ ନମ୍ବର ୪ ପଟାବାଲିସାହି ନିକଟରେ ଏହି ଶବଦାହ ବିଦ୍ୟୁତ ଚୁଲା ନିର୍ମାଣ ହେବ। ଏଠାରେ ଶବଦାହ ପାଇଁ ବିଭିନ୍ନ ସମସ୍ୟା ରହିଥିଲେ ବି ମୁଖ୍ୟ ହେଉଛି କାଠ ଅଭାବ। ଏମିତି କି କାଠ ପାଇଁ ଶବ ଘଣ୍ଟାଘଣ୍ଟା ଧରି ପଡି ରହୁଛି। ସବୁଠାରୁ ବଡ କଥା ହେଲା ଶବଦାହ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ କରୋନା ମହାମାରୀ ସମୟରେ ପ୍ରଶାସନକୁ ବହୁବାର ନାକେଦମ ହେବାକୁ ପଡିଥିଲା।
କରୋନା ଲୋକଙ୍କ ମନରେ ଏମିତି ଭୟର ବାତାବରଣ ସୃଷ୍ଟି କରିଥିଲା ଯେ କୌଣସି କାରଣରୁ କାହାର ମୃତ୍ୟୁ ହେଲେ ଶବକୁ ସ୍ମଶାନ ବାରଣ କରାଯାଉଥିଲା। ଆଉ କରୋନା ରୋଗୀଙ୍କ ଶବଦାହ ପାଇଁ ତ ସବୁ ଆଡେ ଆଇନଶୃଙ୍ଖଳା ସୃଷ୍ଟି ହୋଇଥିଲା। କେଉଁଠି ଶବକୁ ସଶ୍ମାନକୁ ପୁରାଇ ଦିଆଗଲା ନାହିଁ। ଆଉ କେଉଁଠି ଶବ ରଖି ରାସ୍ତାରୋକ ହେଲା। ଜିଲ୍ଲା ସଦର ମହକୁମାରେ ଶବଦାହ ପାଇଁ ଏକ ବିଦ୍ୟୁତ ଚୁଲା ନିର୍ମାଣ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଥିଲା।
ଶବଦାହ ପାଇଁ ସବୁ ଆଡେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବାରୁ ଶେଷରେ ଯୁବ କଂଗ୍ରେସ ପକ୍ଷରୁ ଏ ନେଇ ଜିଲ୍ଲା ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଏକ ବିଦ୍ୟୁତ ଚୁଲା ନିର୍ମାଣ ପାଇଁ ଅନୁରୋଧ କରାଯାଇଥିଲା। ଏକରେ କାଠ ସମସ୍ୟା ରହିଛି। ତାପରେ ଏହା ସାଙ୍ଗକୁ କରୋନା ଭୟ। ତେଣୁ ଶବଦାହ ପାଇଁ ବଡ ସମସ୍ୟା ଏବେ ବି ଲାଗି ରହିଥିବା ବେଳେ ବିଳମ୍ବରେ ହେଉ ପଛେ ବିକଳ୍ପ ସୂରୁପ ବିଦ୍ୟୁତ ଚୁଲା ନିର୍ମାଣ ହେବାକୁ ଯାଉଛି। ଯାହା କି ସମସ୍ତଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି। ଏ.ନେଇ ଯୁବ କଂଗ୍ରେସ ସମେତ ବିଭିନ୍ନ ମହଲରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦିଆଯାଇଛି। ଶବଦାହ ବିଦ୍ୟୁତ ଚୁଲା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ପରେ କାମ ଆରମ୍ଭ ହେବ। ବିଦ୍ୟୁତ ଚୁଲା ନିର୍ମାଣ ହେଲେ ଶବଦାହ ସମସ୍ୟା ଆଉ ରହିବ ନାହିଁ ବୋଲି ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/sabadaha-sambad.jpg)