ଢେଙ୍କିକୋଟ: ବାପାଙ୍କୁ ମିଳିଲାନି ପୁଅ କାନ୍ଧ ଆଉ ଝିଅ କଲେ ଅନ୍ତିମ ସଂସ୍କାର | କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଧୀର ବାରିକ (୭୧)ଙ୍କ ପରଲୋକ ଘଟିଥିଲା । ଧୀରଙ୍କ ଦୁଇପୁଅ ଗୁରୁଚରଣ ବାରିକ, ପଦ୍ମଲୋଚନ ବାରିକ ଏବଂ ତିନି ବିବାହିତା ଝିଅ ବାସନ୍ତୀ ବାରିକ, କୁନି ବାରିକ ଓ ସୁଲୋଚନା ବାରିକ ଥିବାବେଳେ ୭ ବର୍ଷ ତଳେ ପାରିବାରିକ କଳହରୁ ଝିଅ ବାସନ୍ତୀ ଙ୍କ ଘରେ ଧୀର ରହି ଆସୁଥିଲେ।

Advertisment

ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଦୁଇପୁଅ ଏବଂ ତିନି ଝିଅଙ୍କ ମଧ୍ୟରେ ବିବାଦ ହେବାପରେ ସ୍ଥାନୀୟ ସରପଞ୍ଚ ଢେଙ୍କିକୋଟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ପହଞ୍ଚି ପୁଅଝିଅଙ୍କୁ ବୁଝାସୁଝା କରିଥିଲେ। ଝିଅମାନେ ବାପଙ୍କ ଶବକୁ ଭାଇମାନେ କାନ୍ଧ ଦେଇପାରିବେ ନାହିଁ ବୋଲି ଅଡ଼ି ବସିଥିଲେ।

ସେମାନେ ହିଁ ବାପାଙ୍କ ଅନ୍ତିମ ସଂସ୍କାର କରିବେ ବୋଲି କହିଥିଲେ। ପୁଲିସ ଉପସ୍ଥିତିରେ ବୁଝାମଣା ହେଲା। ଝିଅମାନେ ବାପାଙ୍କ ଅନ୍ତିମ ସଂସ୍କାର କରିବେ। ପୁଅମାନେ କେବଳ କ୍ରିୟାକର୍ମ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଧୀରଙ୍କ ସଂସ୍କାର ପାଇଁ ସରପଞ୍ଚ ଗୋଲାପ ନାଏକଙ୍କ ନିର୍ଦ୍ଦେଶକ୍ରମେ ୱାର୍ଡସଭ୍ୟ ରଙ୍ଗାଧର ନାୟକ ଓ ସାମାଜିକକର୍ମୀ ଅଲେଖ ଚନ୍ଦ୍ର ନାୟକ ମୃତକଙ୍କ ଘରକୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି।