ଲକ୍ଷ୍ମୀପୁର: ଭରା ନଦୀରେ ପାର ହୋଇ ପୁଣି ଶବ ସଂସ୍କାର ଭଳି ଦୃଶ୍ୟ ଦେଖିବାକୁ ମିଳିଛି | କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ କୁସୁମଗୁଡା ଗ୍ରାମ ପଞ୍ଚାୟତର କେଲାର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଗାଁର ଧନିଆଁ ଖୋସଲାଙ୍କ ଦେହାନ୍ତ ହୋଇଥିଲା। ଧନିଆଁଙ୍କ ଅନ୍ତିମ ସଂସ୍କାର ସକାଶେ ସହ ସହ ଲୋକେ ଉପସ୍ଥିତ ହୋଇଥିଲେ, ସନ୍ଧ୍ୟା ସମୟରେ ଗାଁରୁ ପ୍ରାୟ ଏକ କିଲୋମିଟର ଦୂରରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଧନିଆଁଙ୍କୁ କବର ଦେବାରେ ବ୍ୟବସ୍ଥା କରାଯାଇଥିଲା, କବର ସ୍ଥାନକୁ ନେବାକୁ ହେଲେ ଗାଁ ତଳେ ଥିବା ଏକ ଭରା ନଦୀ ପାର ହେବାକୁ ପଡିଥାଏ |

Advertisment

ଖରା ଦିନ ସତ୍ୱେ ନଦୀରେ ଥିବା ଆଣ୍ଠୁଏ ପାଣିରେ ଶବ ନିଆଯାଇଥିଲା। ବାରମ୍ବାର ଏନେଇ ପ୍ରଶାସନ ସହ ସ୍ଥାନୀୟ ନେତାଙ୍କୁ ସେତୁ ଖଣ୍ଡିଏ ସକାଶେ କୁହାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହୋଇପାରୁନଥିବା ଗାଁର ପ୍ରଶାନ୍ତ ଖୋସଲା, ଅରୁଣ ଟାକ୍ରୀ, ପିତର ଭତ୍ରା, ମିଲଟନ ଖରା, ମଣ୍ଟୁ ଖୋସଲା ଭଳି ଅନେକ ଯୁବକ ପ୍ରକାଶ କରିଛନ୍ତି। କେଲାର ଗାଁରେ ୫ଟି ସାହିରେ ୪୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ଓ ୧୪୦୦ ପାଖାପାଖି ଭୋଟର ରହିଛନ୍ତି। ଭୋଟ ସମୟରେ ନେତାଙ୍କ ଦେଖା ମିଳୁଥିବା ବେଳେ ପଞ୍ଚାୟତ ନିର୍ବାଚନ ସମୟରେ କେଲାର ଗାଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ, କିନ୍ତୁ ନିର୍ବାଚନ ସରିଲେ ଗାଁର ବିକାଶ କାର୍ଯ୍ୟ ପ୍ରତି କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି ଗ୍ରାମବାସୀ। ଗାଁରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ରହୁଥିବାବେଳେ ଗାଁରେ କାହାର ବି ମୃତ୍ୟୁ ହେଲେ ଭରା ନଦୀ ପାର ହୋଇ ହିଁ ଶବ ସଂସ୍କାର କରାଯାଇଥାଏ।