କଟକ: ଯେ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବାଜି ମାତ ନାହିଁ ସେ ପର୍ଯ୍ୟନ୍ତ ଜାତୀୟ ଦଳରେ ସ୍ଥାନ ସୁନିଶ୍ଚିତ କରିବା କଷ୍ଟ। ଓଡ଼ିଶା କ୍ରିକେଟରୁ ଦୀର୍ଘ ବର୍ଷ ହେବ ଭାରତୀୟ ଦଳରେ କୌଣସି ଖେଳାଳି ସ୍ଥାନ ପାଉ ନାହାନ୍ତି। ଯାହାର କାରଣ ରଣଜୀ ସିଜିନରେ ଓଡ଼ିଶାର ନୌରାଶ୍ୟଜନକ ପଦର୍ଶନ। ଯଦି ଓଡ଼ିଶା ଟିମ୍ ରଣଜୀ ଟ୍ରଫି ଜିତୁଛି, ତେବେ ନିଶ୍ଚୟ ଭାରତୀୟ ଦଳ ପାଇଁ ଡ଼କରା ଆସିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ଆଇପିଏଲ ଗଭର୍ଣ୍ଣଇଂ କାଉନ୍ସିଲ ବଡିର ସଦସ୍ୟ ପ୍ରଜ୍ଞାନ ଓଝା। ଆଜି କଟକରେ ଏକ କ୍ରିକେଟ ଏକାଡେମୀର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ଓଡ଼ିଶା କ୍ରିକେଟରଙ୍କ ସ୍ୱପ୍ନ ସାକାର ଦିଗରେ ସେ ମତ ରଖିଛନ୍ତି। ତାଙ୍କ କହିବାନୁସାରେ, ସୌରାଷ୍ଟ୍ରର ଜୟଦେବ ଉନାଦକଟ, ୧୦ ବର୍ଷ ପରେ ଜାତୀୟ କ୍ରିକେଟକୁ ଫେରିଛନ୍ତି। କାହିଁକି ନାଁ କେବଳ ରଣଜୀ ଟ୍ରଫିରେ ଭଲ ପଦର୍ଶନ। ତେଣୁ ବର୍ତ୍ତମାନ ସମୟରେ ରଣଜୀ ଟ୍ରଫିକୁ ଟାର୍ଗେଟ କଲେ ଓଡ଼ିଶାର ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ପାରନ୍ତେ ବୋଲି କହିଛନ୍ତି।
ତେବେ ଏହି ସିଜିନରେ ଓଡ଼ିଶା ୭ଟି ମ୍ୟାଚ ଖେଳି କେବଲ ଗୋଟିଏ ମ୍ୟାଚରେ ବାଜିମାତ କରିଛି। ସେହିପରି ୨ଟି ମ୍ୟାଚ୍ରେ ପରାଜୟ ଓ ୪ଟି ମ୍ୟାଚ୍ ଅମୀମାଂସିତ ଭାବରେ ଶେଷ ହୋଇଛି। ଯାହା ଫଳରେ ଓଡ଼ିଶାର ରଣଜୀ ଅଭିଯାନ ମଧ୍ୟ ଶେଷ ହୋଇଛି। ତେବେ ରଣଜୀ ଟ୍ରଫି ପାଇଁ ଓଡ଼ିଶା ଟିମ୍ ପ୍ରସ୍ତୁତ ହେବା ସହ ଦମଦାର ପଦର୍ଶନ କରି ବିରୋଧୀ ଦଳକୁ ଅସୁବିଧାର ସମୁଖୀନ କରାଇବାକୁ ପଡିବ। ତେବେ ଯାଇକି ଟିମ୍ ଓଡ଼ିଶା ରଣଜୀ ଟ୍ରଫି ବିଜୟର ଆଶା ରଖି ପାରିବ । ଓସିଏ ପକ୍ଷରୁ ଭିତି ପ୍ରସ୍ତର ଯୋଗାଇ ଦିଆଯାଉଛି । କିନ୍ତୁ ଲକ୍ଷ୍ୟକୁ ମଜବୁତ କରିକି ଟ୍ରଫି ଥରେ ହାତେଇଲେ ଜାତୀୟ ଦଳ ପାଇଁ ବାଟ ଫିଟିବ ବୋଲି କହିଛନ୍ତି ପ୍ରଜ୍ଞାନ।