ତରଭା ତହସିଲଦାରଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ତରଭା: ଜଣେ ଆଇନଜୀବୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ସୋମବାର ତରଭା ତହସିଲଦାର ସୁବ୍ରତ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେବେ ତହସିଲଦାର ବେହେରାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତରଭା ଟ୍ରାକ୍ଟର ମାଲିକ ସଙ୍ଘ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ମଙ୍ଗଳବାର ପୂର୍ବାହ୍ନରେ ଟ୍ରାକ୍ଟର ମାଲିକ ସଙ୍ଘର ସଭାପତି ଦଶରଥ ସାହୁ, ଉପସଭାପତି ଶ୍ରୀକୁମାର ମହନ୍ତ, ସମ୍ପାଦକ ସୁବାସ କର୍ଣ୍ଣଙ୍କ ନେତୃତ୍ବରେ ଶତାଧିକ ଟ୍ରାକ୍ଟର ମାଲିକ ନିଜ ଟ୍ରାକ୍ଟରସହ ପେଟ୍ରୋଲ ପମ୍ପ ନିକଟରୁ ବାହାରି ସହର ପରିକ୍ରମା କରିଥିଲେ। ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୨ ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ତହସିଲଦାର ତ୍ରିପୁରା ମହାନନ୍ଦଙ୍କୁ ପ୍ରଦାନ କରିଥିଲେ। ଖାରୀ – ସୁକତେଲ ବାଲିଘାଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଓ ତହସିଲଦାର ବେହେରା ତରଭାରେ କରିଥିବା ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ କରାଇବା ଦାବି ରହିଛି। ଆସନ୍ତା ସପ୍ତାହକ ମଧ୍ୟରେ ବାଲିଘାଟକୁ କାର୍ଯ୍ୟକ୍ଷମ କରିବେ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର