କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଟିମ ପକ୍ଷରୁ ଗୁଣପୁରରେ ଚଢ଼ାଉ, ୩୦୨ କେଜି ଗଞ୍ଜେଇ ଜବତ

ଗୁଣପୁର: ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ପୋଲ ନିକଟରେ ଏସଟିଏଫ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ୩୦୨କେଜି ଗଞ୍ଜେଇ ଜବତ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ ପୁଟାସିଂ ଥାନା ଅଧିନସ୍ଥ ସାମ୍ପିନି ଗ୍ରାମର ଆୟୁବ ଶବର(୩୦) ନାମକ ବ୍ୟକ୍ତି ପଦ୍ମପୁର ବ୍ଲକ କେନ୍ଦୁଗୁଡା ଅଞ୍ଚଳରୁ ଗଞ୍ଜେଇ ଆଣି ଗୁଣପୁର ବଂଶଧାରା ନଦୀ ପୋଲ ନିକଟରେ ଅନ୍ୟତ୍ର ଚାଲାଣ ପାଇଁ ରଖଥିଲା। ତେବେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ ଟ୍ରାକିଂ କରି ଆଜି ଭୋର ୫ଟା ସମୟରେ ଚଢ଼ାଉ କରି ଗଛିତ ଥିବା ଗଞ୍ଜେଇ ଜବତ କରିଥିଲେ।

ଜବତ ଗଂଜେଇ ୩୦୨କେଜି ହୋଇଥିବାବେଳେ ୧୫ଟି ପ୍ୟାକେଟରେ ରହିଥିଲା। ଏଥିରେ ସମ୍ପୃକ୍ତ ଥିବା ସାମ୍ପିନି ଗ୍ରାମର ଆୟୁବ ଶବରକୁ ଗିରଫ କରି ଉକ୍ତ ମାମଲାକୁ ଗୁଣପୁର ପୋଲିସ କୁ ହସ୍ତାନ୍ତର କରିଛି। ଏନେଇ ଗୁଣପୁର ଥାନା କେସ ନମ୍ବର ୨୧୬/୨୦ଅନୁଯାୟୀ ବେଆଇନ ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।

ତେବେ ଅଭିଯୁକ୍ତ ଆୟୁବ ଶବର ପୁଲିସକୁ ଅଧିକ କୌଣସି ସୁରାକ ଦେଇନଥିବା ବେଳେ ତାଠାରୁ ଏକ ମୋବାଇଲ ଫୋନ ଜବତ ହୋଇଛି ବୋଲି ଆଇଆଇସି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ପକ୍ଷରୁ ଏସଆଇ ଜଗନ୍ନାଥ ପ୍ରସାଦ ସାହୁ, ଏସଆଇ ଆଶିଷ ଜେନା ଏବଂ ତାଙ୍କ ଟିମ ଜବତରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର