ରାୟଗଡ଼ା: ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମ୍ରବାଞ୍ଚ। ପାଭେଲ୍ ଆନ୍ଥେଭଙ୍କ ମୋବାଇଲ୍, ଭିସା, ପାସପୋର୍ଟ, ଡଲାର୍ ଜବତ ପରେ ଏହି ଦିଗରେ ଚିନ୍ତା କରୁଛି କ୍ରାଇମ୍ରବାଞ୍ଚ। ମୃତ୍ୟୁ ପୂର୍ବରୁ ଆନ୍ଥେଭ କାହା ସହ ମୋବାଇଲରେ ଚାଟ୍ କରିଥିଲେ, କାହାକୁ ଇ-ମେଲ୍ କରିଥିଲେ ଏବଂ ଫୋନ୍ କଲର ସବିଶେଷ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲ୍ ସହାୟତା ଲୋଡିବ କ୍ରାଇମ୍ରବାଞ୍ଚ। ଏଥି ସହ ଦୁଇ ପର୍ଯ୍ୟଟକ ବିଦାନୋଭ, ଆନ୍ଥେଭଙ୍କ ଶବ ସତ୍କାର ହୋଇଥିବା ସିରିଗୁଡ଼ା ଶ୍ମଶାନରୁ ଆଜି ହାଡ଼, ପାଉଁଶ ଜବତ କରିଛି କ୍ରାଇମବ୍ରାଞ୍ଚର ଫରେନସିକ୍ ଟିମ୍।

Advertisment

ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ଆନ୍ଥେଭଙ୍କ ବାମ ପାର୍ଶ୍ବ ଛାତିରେ ଗଭୀର ଆଘାତ ଲାଗିବା ସହ ଫୁସଫୁସ, ଯକୃତ ନଷ୍ଟ ହୋଇ ଯାଇଥିବା ଉଲ୍ଲେଖ ରହିଛି। ଶରୀର ଭିତରେ ପ୍ରବଳ ରକ୍ତସ୍ରାବ ସହ ହୃଦଘାତ ମଧ୍ୟ ହୋଇଥିଲା। ତେବେ ମୃତ୍ୟୁ ପଛର କାରଣ ଦୁର୍ଘଟଣାଜନିତ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବାରୁ ଏହାକୁ ନେଇ ସନ୍ଦେହ ସୃ୍ଷ୍ଟି ହୋଇଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ବିଶେଷଜ୍ଞ ଡାକ୍ତର ଡା. ଡି. କେ. ଦେବ, ଡା. ହିମାଂଶୁ ଶେଖର ନାଥ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ପୂର୍ବରୁ ଆନ୍ଥେଭଙ୍କ ଭିସେରା ସଂଗ୍ରହ ନ କରିବା ନେଇ ସମାଲୋଚନାର ଶିକାର ହୋଇଥିଲା ଡାକ୍ତରୀ ଟିମ୍। ଏବେ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଦୁର୍ଘଟଣାଜନିତ ଲେଖିବା ପରେ ସ୍ପର୍ଶକାତର ଘଟଣାର ସତ୍ୟାସତ୍ୟ ଯାଞ୍ଚ ପୂର୍ବରୁ କିପରି ମୃତ୍ୟୁକାରଣ ଉଲ୍ଲେଖ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଆଜି ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଟିମ୍ ପୁଲିସ୍, ଡାକ୍ତରୀ ଟିମ୍ ଓ ହୋଟେଲ୍ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି। ଆନ୍ଥେଭ ରହୁଥିବା ହୋଟେଲର ୩୧୯ ଓ ୪୦୧ ନମ୍ବର ରୁମକୁ ଯାଞ୍ଚ କରି ଆଉ କିଛି ସୁରାକ୍ ହାସଲ କରିଛି। ତଦନ୍ତ ପାଇଁ ଆବଶ୍ୟକ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ଡିଏସପି ସରୋଜକାନ୍ତ ମହାନ୍ତ ସୂଚନା ଦେଇଛନ୍ତି। ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବର ଫେରିଯିବା ସମ୍ଭାବନା ଥିବାରୁ ଆଜି ଟିମ୍ ପୁଣି ହୋଟେଲ୍ କର୍ତ୍ତୃପକ୍ଷ, ଡାକ୍ତରୀ ଟିମ୍ ସହ ଅଲଗା ଅଲଗା ଆଲୋଚନା କରିଛି। ଘଟଣା ପୂର୍ବରୁ ହୋଟେଲକୁ ଡିସେମ୍ବର ୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ କେଉଁ କେଉଁ ପର୍ଯ୍ୟଟକ କେଉଁ ଅଞ୍ଚଳରୁ ଆସିଥିଲେ ତାକୁ ନେଇ ରିପୋର୍ଟ ସଂଗ୍ରହ କରିଛି କ୍ରାଇମ୍ରବାଞ୍ଚ। ସେହିପରି ହୋଟେଲର କର୍ମଚାରୀଙ୍କୁ ତଦନ୍ତର ପରିସର କରିଛି।

ଘଟଣା ଘଟିବା ଦିନ ହୋଟେଲ୍ ସିସିଟିଭି ଅଚଳ ଥିବାରୁ କ୍ରାଇମ୍ରବାଞ୍ଚ ହୋଟେଲକୁ ସଂଯୋଗ ହୋଇଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ସେପଟେ କ୍ରାଇମବ୍ରାଞ୍ଚର ଆଉ ଗୋଟିଏ ଟିମ୍ ଭୁବନେଶ୍ବରରେ ଋଷ ଦମ୍ପତିଙ୍କ ସମେତ, ଟୁରିଷ୍ଟ ଗାଇଡ୍, କାର ଡ୍ରାଇଭରକୁ ଜେରା କରୁଛି। କ୍ରାଇମବ୍ରାଞ୍ଚ ପୂର୍ବରୁ ଘଟଣାର ତଦନ୍ତ ଆରମ୍ଭ କରିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇବି) ମଧ୍ୟ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଥିବାରୁ କ୍ରାଇମବ୍ରାଞ୍ଚ ଟିମ୍ ଅତି ସତର୍କତାର ସହ ଘଟଣାର ତଦନ୍ତ କରୁଛି।