ଭଦ୍ରକ: କରୋନା କଣ୍ଟ୍ରୋଲ କଲା କ୍ରାଇମ୍  

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା କଟକଣା ଯୋଗୁଁ ରାସ୍ତା ଘାଟ ସବୁ ସିଲ୍ । ଟ୍ରେନ୍ ଚଳାଚଳଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ବସ୍ ଚଳାଚଳ ପର୍ଯ୍ୟନ୍ତ ସବୁ କିଛି ବନ୍ଦ ରହିଛି। ସମଗ୍ର ଜିଲ୍ଲାରେ ଲକ୍ ଡାଉନ୍ ଯୋଗୁଁ ଗାଁ ଗହଳିରେ ରହୁଥିବା ଲୋକମାନେ ମଧ୍ୟ ମଟର ସାଇକେଲ ନେଇ ସହର ଭିତରକୁ ଆସୁ ନାହାନ୍ତି। ରାସ୍ତା ଉପରେ ଗାଡି ମଟରର ସଂଖ୍ୟା କମ୍ ରହିଥିବାରୁ ଭଦ୍ରକ ଜିଲ୍ଲାରେ ରାସ୍ତା ଦୁର୍ଘଟଣା ସଂଖ୍ୟା କମିଯାଇଛି। ସେହିପରି କରୋନା କଟକଣା ଯୋଗୁଁ କ୍ରାଇମ୍ ମଧ୍ୟ ଜିଲ୍ଲାରେ କମିଛି।

କରୋନା ନେଇ ଭଦ୍ରକ ସହରରେ ଲକ୍ ଡାଉନ୍, ସଟ୍ ଡାଉନ୍ ଓ କର୍ଫ୍ୟୁ ଭଳି ସ୍ଥିତି ରହିବା କାରଣରୁ ଗତ ଏକ ମାସ ହେଲା କ୍ରାଇମ୍ କଣ୍ଟ୍ରୋଲ ହୋଇଥିବା ନେଇ ଖୋଦ୍ ଭଦ୍ରକ ଏସପି ରାଜେଶ ପଣ୍ଡିତ ସ୍ବାକାର କରିଥିବା ବେଳେ ସେ ଦେଇଥିବା ଜିଲ୍ଲାର କ୍ରାଇମ୍ ତଥ୍ୟ ଓ ସଡକ ଦୁର୍ଘଟଣାର ତଥ୍ୟରୁ ସ୍ପଷ୍ଟ ‌ ସୂଚନା ମିଳିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାରେ ଗତ ୨୦୨୦ ମସିହା ଜାନୁଆରୀ ମାସରେ ମୋଟ ୨୬ ଟି ଦୁର୍ଘଟଣା ହୋଇଥିଲା। ସେହିପରି ଗତ ଫେବ୍ରୁଆରୀ ମାସରେ ୨୪ଟି ଦୁର୍ଘଟଣା ହୋଇଥିବା ବେଳେ ଚଳିତ ଏପ୍ରିଲ ମାସ ୨୩ ତାରିଖ ମଧ୍ୟରେ ମାତ୍ର ୨ ଟି ଦୁର୍ଘଟଣା ଘଟିଛି। କରୋଟା କଟକଣା ଯୋଗୁଁ ଏଭଳି ଦୁର୍ଘଟଣା ସଂଖ୍ୟା କମି ଥିବା ବେଳେ ଜିଲ୍ଲାରେ କ୍ରାଇମ୍ ମଧ୍ୟ କମିଥିବାର ସୂଚନା ମିଳିଛି। ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ୪ଟି ଓ ଏପ୍ରିଲରେ ୪ଟି ହତ୍ୟା ମାମଲା ହୋଇଥିବା ବେଳେ ୨୦୨୦ ମାର୍ଚ୍ଚ ରେ ୮ ଟି ଓ ଏପ୍ରିଲରେ ୫ଟି ଯୌତୁକ ଜନିତ ହତ୍ୟା ମାମଲା କରାଯାଇଥିଲା।

ସେହିପରି ୨୦୧୯ ମାର୍ଚ୍ଚରେ ୩ ଟି ଡକାୟତି ମାମଲା ହୋଇଥିବା ବେଳେ ଏପ୍ରିଲରେ ଆଦୌ ଡକାୟତି ମାମଲା ନଥିଲା। ୨୦୨୦ ମାର୍ଚ୍ଚ ଓ ଏପ୍ରିଲ ମାସରେ ଡକାୟତି ମାମଲା ଆଦୌ ନାହିଁ। ୨୦୧୯ ମାର୍ଚ୍ଚରେ ରବରୀ ୨ଟି ଥିବା ବେଳେ ଏପ୍ରିଲରେ ଗୋଟିଏ ମାମଲା ରହିଥିଲା। ୨୦୨୦ ମାର୍ଚ୍ଚରେ ଗୋଟିଏ ରବିରୀ ମାମଲା ଥିବା ବେଳେ ଏପ୍ରିଲ ରେ ଗୋଟିଏ ମାମଲା ରହିଛି। ୨୦୧୯ରେ ମାର୍ଚ୍ଚ ମାସରେ ଜିଲ୍ଲାରେ ୨୭ଟି ଚୋରୀ ମାମଲା ଥିବା ବେଳେ ଏପ୍ରିଲରେ ୨୦ ଟି ଚୋରୀ ମାମଲା ରହିଥିଲା। ୨୦୨୦ ମାର୍ଚ୍ଚରେ ୨୦ ଟି ଚୋରୀ ମାମଲା ହୋଇଥିବା ବେଳେ ଏପ୍ରିଲ ମାସରେ ମାତ୍ର ୫ଟଇ ଚୋରୀ ମାମଲା ହୋଇଛି।

୨୦୧୯ ମାର୍ଚ୍ଚରେ ୧୫ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ଏପ୍ରିଲରେ ୭ ଟି ମାମଲା ହୋଇଛି। ୨୦୨୦ ମାର୍ଚ୍ଚରେ ୭ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ଚଳିତ ଏପ୍ରିଲ ମାସରେ ଦୁଷ୍ମର୍ମ ମାମଲା ଆଦୌ ନାହିଁ। ଜିଲ୍ଲାରେ କରୋନା ଭୁତାଣୁର ଭୟ ସମସ୍ତଙ୍କୁ ଘାରିଥିବା ବେଳେ ଲୋକମାନେ ମଧ୍ୟ ଆତ୍ମ ସଚେତନ ହୋଇଥିବା ଜଣାପଡିଛି। ଅନେକ ଲୋକ ମଦ୍ୟ ପାନ କରି ମଧ୍ୟ କ୍ରାଇମ୍ ଓ ଦୁର୍ଘଟଣା ଘଟାଉଥିଲେ। ଏବେ ମଦ ଦୋକାନ ସବୁ ବନ୍ଦ ରହିଥିବା ବେଳେ ସଡକରେ ଦୁର୍ଘଟଣା ମଧ୍ୟ କମିଛି। ସବୁଠାରୁ ବଡ କଥା ହେଉଛି ଜିଲ୍ଲା ତମାମ ପୋଲି ପେଟ୍ରୋଲିଂ କଡାକଡି କରାଯାଇଥିବାରୁ କ୍ରାଇମ୍ କଣ୍ଟ୍ରୋଲ ହୋଇଥିବା ନେଇ ଏସପି ଶ୍ରୀ ପଣ୍ଡିତ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର