ରାୟଗଡ଼ା: ଋଷ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ଆମ୍ବୁଲାନସ କର୍ମଚାରୀଙ୍କୁ ଜେରା କରିଛି। ଭ୍ଲାଦିମିର୍ ବିଦାନୋଭଙ୍କୁ ଅସୁସ୍ଥ ଅବସ୍ଥାରେ ହୋଟେଲରୁ ମେଡିକାଲ ନେଇଥିବା କର୍ମଚାରୀଙ୍କୁ ହୋଟେଲକୁ ଡକାଇ ବୟାନ ରେକର୍ଡ କରିଛି। କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଥିବା ୩ ଆମ୍ବୁଲାନସ କର୍ମଚାରୀ ହେଲେ ରବି ହିମିରିକା, ନଳିନୀ ବିଡ଼ିକା, ଶିବ ପ୍ରସାଦ ନିମାଲା। ଭ୍ଲାଦିମିର୍ ବିଦାନୋଭଙ୍କୁ ସ୍ଥାନାନ୍ତର ସମୟରେ କିପରି ଓ କେଉଁ ଅବସ୍ଥାରେ ଦେଖିଥିଲେ, ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିଲା ଏପରି ଅନେକ ପ୍ରଶ୍ନ କର୍ମଚାରୀଙ୍କୁ ପଚାରି ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ସେହିପରି ଅନ୍ୟ କିଛି ହୋଟେଲ କର୍ମଚାରୀ ମଧ୍ୟ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି। ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ଗତ ୪ ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇଛି। ଦୁଇ ମୃତ ପର୍ଯ୍ୟଟକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇ ସାରିଛି।

Advertisment

ମସାଣିରୁ ଜବତ ହାଡ଼, ପାଉଁଶ ପରୀକ୍ଷଣ ପାଇଁ ଭୁବନେଶ୍ବର ଲ୍ୟାବକୁ ଯାଇଥିବାବେଳେ ଡିଏନଏ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ। ଆଜି ସକାଳେ କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତ, ଇନସପେକ୍ଟର ମମତାରାଣୀ ପଣ୍ଡାଙ୍କ ସହ ଅନ୍ୟ ଅଧିକାରୀ ଆମ୍ବୁଲାନସ ଓ ହୋଟେଲ କର୍ମଚାରୀଙ୍କୁ ଜେରା କରିଥିଲେ। ସେହିପରି ଅନ୍ୟ ସୂଚନାକୁ ଭିତ୍ତି କରି ଟିମ ତଦନ୍ତ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିଛି। ଭ୍ଲାଦିମିର୍ ବିଦାନୋଭ ମୃତ୍ୟୁ ପୂର୍ବରୁ ଅତ୍ୟଧିକ ମଦ୍ୟପାନ କରିବା ସହ ଗଞ୍ଜେଇ ସେବନ କରିଥିଲେ। ସେହିପରି ପାଭେଲ ଆନ୍ଥେଭ ହୋଟେଲ ଛାତରୁ ଖସି ପଡ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। କ୍ରାଇମବ୍ରାଞ୍ଚ ଏହି ଆଧାରରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଚୂଡ଼ାନ୍ତ ରିପୋର୍ଟ, ତଥ୍ୟ ପ୍ରମାଣ ହାସଲ କରିବା ପରେ ମୃତ୍ୟୁ ରହସ୍ୟର ଖୁଲାସା କରିବା କ୍ରାଇମବ୍ରାଞ୍ଚ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଦୁଇ ରୁଷ ପର୍ଯ୍ୟଟକ ଭ୍ଲାଦିମିର୍ ବିଦାନୋଭ, ପାଭେଲ ଆନ୍ଥେଭ ଅନ୍ୟ ଦୁଇ ଋଷ ଦମ୍ପତିଙ୍କ ସହ ରାୟଗଡ଼ାରେ ପହଞ୍ଚିଥିଲେ। ତାଙ୍କ ସହ ଟୁରିଷ୍ଟ ଗାଇଡ଼ ଜିତେନ୍ଦ୍ର ସିଂ ଓ ଡ୍ରାଇଭର ନଟବର ମହାନ୍ତି ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହିଥିଲେ। ୨୨ ତାରିଖ ପୂର୍ବାହ୍ନରେ ଭ୍ଲାଦିମିର୍ ବିଦାନୋଭଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ତାରିଖରେ ସନ୍ଦେହଜନକ ଭାବେ ପାଭେଲ ଆନ୍ଥେଭ ଛାତରୁ ଖସି ମୃତ୍ୟୁବରଣ କରିଥିଲେ।