ମହାକାଳପଡ଼ା: ମୋବାଇଲ୍ ସିମ୍ କାର୍ଡ କାଳ ହେଲା। ଏହି ସିମ୍କାର୍ଡ ଗ୍ୟାସ୍ ଟାଙ୍କି ଚୋରି ର୍ୟାକେଟ୍ର ପର୍ଦ୍ଦାଫାଶ୍ କରିଛି। ୪ ଜଣ ଚୋରଙ୍କୁ ପୁଲିସ ହାତରେ ଧରାଇ ଦେଇଛି। ଏହି ର୍ୟାକେଟର ସଦସ୍ୟମାନେ କିଛି ଦିନ ହେଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ପଶି ଲଗାତାର ଭାବେ ରନ୍ଧନ ଗ୍ୟାସ୍ ଟାଙ୍କି ଉଠାଇ ନେଉଥିଲେ। ଏ ନେଇ ଲୋକଙ୍କ ଆଖିରୁ ନିଦ ହଜି ଯାଇଥିଲା।
ପୁଲିସ ସୂତ୍ରରୁ ଜଣାପଡ଼ିଛି, ଅଳାଇଲୋ, ରାଜଗଡ଼, ଦେଉଳପଡ଼ା ଓ ଆଖପାଖ ଅଞ୍ଚଳରୁ କିଛି ଦିନ ହେବ ରନ୍ଧନ ଗ୍ୟାସ ଟାଙ୍କି ଚୋରି ହେଉଥିଲା। ଲୋକମାନଙ୍କ ରୋଷେଇ ଘର ତାଲା ଭାଙ୍ଗି ଗ୍ୟାସ୍ ଟାଙ୍କି ଉଠାଇ ନେଉଥିଲେ। ଗତ ୧୨ ତାରିଖ ରାତି ପ୍ରାୟ ୧ ଟାରେ ଅଳାଇଲୋ ପଞ୍ଚାୟତ ଓଳିହା ନୀଳକଣ୍ଠପୁରୁ ଗ୍ରାମର ଉଦୟ କରଙ୍କ ରୋଷେଇ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗ୍ୟାସ ଟାଙ୍କି ଚୋରି କରି ନେଇଥିଲେ। ତେବେ ଭୁଲ୍ବଶତଃ ଦୁର୍ବୃତ୍ତମାନେ ସେମାନଙ୍କ ମୋବାଇଲ ସିମ୍ କାର୍ଡ ଛାଡି ପଳାଇଥିଲେ ।
ଉକ୍ତ ସିମ୍ କାର୍ଡରୁ ଚୋରି ର୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ଉଦୟ ସିମ୍ଟିକୁ ପାଇ ମହାକାଳପଡ଼ା ଥାନାରେ ରାଜଗଡ଼ ଗ୍ରାମର ପଦ୍ମନାଭ ଦାସ ଓରଫ ବବୁଲୁ ଓ ଓଳିହା-ନୀଳକଣ୍ଠପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗୁରୁ ଓରଫ କାଳିଆଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟ ଏକ ଘଟଣାକ୍ରମେ ବବକରପୁର ଗ୍ରାମର ବିଜୟ ନାୟକଙ୍କ ରୋଷେଇ ଘରୁ ଦୁଇଟି ଗ୍ୟାସ୍ ଟାଙ୍କି ଚୋରି ହୋଇଥିଲା। ସେ ବି ମହାକାଳପଡ଼ା ଥାନାରେ ଏତଲା ଦେଇଥିଲେ । ପୁଲିସ ଅନୁସନ୍ଧାନ କରି ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲା। ସେମାନେ ଚୋରି ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ।
ତେବେ ପୁଲିସ ଆପୋଷ ସମାଧାନ ବାହାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତ ଦ୍ୱୟଙ୍କୁ ଥାନାକୁ ଡ଼କାଇ ଥିଲା। ଅଭିଯୁକ୍ତ ଦ୍ୱୟ ୨ଟି ଗ୍ୟାସ ଟାଙ୍କି ସହ ସମାଧାନ ନିମନ୍ତେ ଥାନାରେ ପହଞ୍ଚିବା କ୍ଷଣି ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏ ନେଇ ଦୁଇଟି ମାମଲା(୧୭୩, ୧୭୪/୧୭) ରୁଜୁ କରିଥିଲା। ଏହି ଅଭିଯୁକ୍ତ ଦ୍ୱୟଙ୍କ ସହାୟତାରେ ପୁଲିସ ର୍ୟାକେଟରେ ଅନ୍ୟ ସଦସ୍ୟମାନଙ୍କ ପାଖରେ ପହଞ୍ଚିଥିଲା। କେନ୍ଦ୍ରାପଡ଼ା ବ୍ଲକ କୋରୁଆ ଗ୍ରାମର ଗୈାରବ ସାହୁ ଏବଂ କଂସାର ପଞ୍ଚାୟତର ଅନ୍ତର୍ଗତ ଫୋରଡ ଗ୍ରାମର ବିଷ୍ଣୁ ମହୁଲି ଓରଫ ଟୁକୁନାଙ୍କୁ ଗିରଫ କରି ସେମାନଙ୍କଠାରୁ ୫ଟି ଗ୍ୟାସ ସିଲିଣ୍ଡର ଉଦ୍ଧାର କରିଥିଲା ।
ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି। ମହାକାଳପଡ଼ା ଥାନାଧିକାରୀ ଶ୍ୟାମଘନ ବେହେରାଙ୍କ କହିବାନୁଯାୟୀ, ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୨୦ରୁ ଅଧିକ ଗ୍ୟାସ ଟାଙ୍କି ଚୋରି କରିଥିବା ସ୍ୱୀକାର କରିଛନ୍ତି। ତେବେ ଚଢଉ ବେଳେ ଜଣେ ଯୁବକ ଖସିଯାଇଥିବା ଜଣାପଡ଼ିଛି।