ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ଡ୍ୟାମ ନିକଟ ଦିଗପହଣ୍ଡି ବ୍ଲକ ଖମାରି ଗାଁ ସାଗର ପୋଖରୀକୁ ଗାଧୋଇ ଯାଇଥିବାବେଳେ କୁମ୍ଭୀର ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ଦାଉଣୀ ଗାଁ'ର ଟୁକୁନା ବେହେରା | ଚିକିତ୍ସା ପାଇଁ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଟୁକୁନା ରାଜମିସ୍ତ୍ରୀ ରୂପେ କାମ କରିବାକୁ ଖମାରି ଗାଁ କୁ ଆସିଥିଲେ | ପୂର୍ବରୁ ଜଣେ ନାବାଳକକୁ କୁମ୍ଭୀର ଟାଣି ନେଇଥିଲା | ଏହାପରେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ଗତମାସ ଜୁନ ୨୬ରେ ଖମ୍ବାରୀ ଗାଁ ପଞ୍ଚାୟତ ସେବକ ଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୈାଡ(୧୧) ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟରୁ ଆସି ଗ୍ରାମ ନିକଟରେ ବୋହି ଯାଇଥିବା ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଏକ କୁମ୍ଭୀର ଛାତ୍ରକୁ ପାଣି ଭିତରକୁ ଟାଣି ନେଇଥିଲା। ତେବେ ଶୁଭ୍ରାଂଶୁ ନ ଫେରିବା ଦେଖି ପରିବାର ଲୋକେ ନଦୀକୁ ଯାଇଥିଲେ। ସେଠାରେ ତାଙ୍କ ଡ୍ରେସ୍ ଓ ଚପଲ ରହିଥିବାବେଳେ ଶୁଭ୍ରାଂଶୁ ନ ଥିଲେ।

Advertisment

ଖବର ପ୍ରଚାରିତ ପରେ ନଦୀ ତୁଠଠାରୁ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର କେଉଟ ଲୋକମାନେ ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ। ଯାହାଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡି ପଳାଇଥିଲା। ଏପଟେ ଶୁଭ୍ରାଂଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଉଲ୍ଲେଖ ଥାଉ କି ଦୁଇ ଅର୍ଶ ତଳେ ଏହି ଅଂଚଳରେ କୁମ୍ଭୀର ଗଣନା କରାଯାଇଥିଲା | ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଘୋ଼ଡ଼ାହାଡ଼ ଜଳଭଣ୍ଡାର ଓ ଆଖପାଖରେ ଥିବା ୧୦ଟି ପୋଖରୀରେ କୁମ୍ଭୀର ଗଣନାକାର୍ଯ୍ୟ ହୋଇଥିଲା । ଗଣନାରୁ ଜଣାପଡ଼ିଥିଲା ଯେ ଜଳଭଣ୍ଡାରରେ ମୋଟ ୫୩ଟି କୁମ୍ଭୀର ଥିବାବେଳେ ପୋଖରୀ ଗୁଡ଼ିକରେ ୧୯ଟି କୁମ୍ଭୀର ଅଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ମୋଟ ୭୨ଟି କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।