ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅମୃତମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁ ନିକଟ ବ୍ରାହ୍ମଣୀ ନଦୀ ତୁଠରେ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା ବେଳେ ଏହି ଗ୍ରାମର ପୁରସ୍ତମ ଧଳ(୬୦)ଙ୍କୁ କୁମ୍ଭୀର ନଦୀ ଭିତରକୁ ଝାମ୍ପି ନେଇଛି। ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳି ପାରିନାହିଁ। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ଜଗନ୍ନାଥପୁର ଗାଁର ପୁରସ୍ତମ ନଦୀ ତୁଠରେ ଗାଧୋଉଥିଲେ। ଅଣ୍ଟାଏ ପାଣିରେ ପଶିଥିବା ବେଳେ ଏକ ବିରାଟକାୟ କୁମ୍ଭୀର ତାଙ୍କ ଉପରକୁ ଝାମ୍ପ ମାରି ପାଣି ଭିତରକୁ ଟାଣି ନେଇଥିଲା। ସେହି ସମୟରେ କିଛି ଦୂରରେ ଛିଡ଼ା ହୋଇଥିବା ଗ୍ରାମର ଦୀନବଂଧୁ ଭଦ୍ରଙ୍କ କହିବା ମୁତାବକ, କୁମ୍ଭୀର ଟାଣି ନେବା ସମୟରେ ପୁରସ୍ତମ ତାଙ୍କୁ ଡାକ ପକାଇଥିଲେ।
‘ମୋତେ କୁମ୍ଭୀର ନେଇଗଲା’ ବୋଲି ଚିତ୍କାର କରିଥିଲେ। କୁମ୍ଭୀର ପୁରସ୍ତମଙ୍କୁ ପେଟ ତଳେ ଧରି ପହଁରୁଥିବା ସେ ଦେଖିଥିବା ଦୀନବନ୍ଧୁ କହିଛନ୍ତି। ଖବରପାଇ ପଟ୍ଟାମୁଣ୍ତାଇ ଅଗ୍ନିସେବା ଅଧିକାରୀ ଗୋପବନ୍ଧୁ ସାହୁଙ୍କ ନେତୃତ୍ବରେ ଗୋଟିଏ ଟିମ ଖୋଜାଖୋଜି କରିଥିଲେ ମଧ୍ୟ କୁମ୍ଭୀର ସେମାନଙ୍କ ସହ ଲୁଚକାଳି ଖେଳିଥିଲା। ସେମାନେ ନିରାଶ ହୋଇ ଫେରିଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ଧୋୟା ଅଂଚଳର ହଜାର ହଜାର ଲୋକ ନଦୀକୂଳରେ ଜମା ହୋଇଯାଇଥିଲେ। ସନ୍ଧ୍ୟା ସୁଦ୍ଧା ପୁରସ୍ତମଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।
ଉଲ୍ଲେଖ ଥାଉ କି, ଗଲା କିଛି ଦିନ ହେବ ଦୁଇଟି କୁମ୍ଭୀର ନଦୀକୂଳିଆ ଗାଁରେ ଉପଦ୍ରବ ଚଳାଇ ଆସୁଛନ୍ତି। ଶ୍ରୀରାମପୁର, ପାଳପାଟଣା, ମଠସାହି, କଦମଦାଣ୍ତି, ନିମପୁର, ମଣ୍ତପଡା, ବାଛରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡିପାଳ, ଅଳପୁଆ ପ୍ରଭୃତି ଗ୍ରାମର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ବନବିଭାଗ ପକ୍ଷରୁ କୌଣସି ସଚେତନା କିମ୍ବା ପଦକ୍ଷେପ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। କୁମ୍ଭୀର ଉପଦ୍ରବ ବନ୍ଦ କରିବା ସହ ପୁରସ୍ତମଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଅମୃତମଣୋହୀ ସରପଞ୍ଚ କୁଳମଣି ମଲ୍ଳିକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/d5f9b71e-cd41-49cb-af8a-1b7d201e516f.jpg)