ଯମୁନା ନାଳରେ କୁମ୍ଭୀର ଆତଙ୍କ: କୁକୁର, ଛେଳିକୁ ଟାଣିନେଉଛି

ସୁଜନପୁର: ଯାଜପୁର ବ୍ଲକ୍ ଅନ୍ତର୍ଗତ ସିମିଳିଆ ପଞ୍ଚାୟତ ଷଠିଆଟିକିରି ଗ୍ରାମରେ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି। ଏହି ଗ୍ରାମ ନିକଟରେ ପ୍ରବାହିତ ଯମୁନା ନାଳରେ ଗୋଟିଏ କୁକୁରକୁ କୁମ୍ଭୀର ଆକ୍ରମଣ କରି ଟାଣି ନେଇଛି। କୁକୁରଟି ଯମୁନା ନାଳ ଛନ୍ଦାରେ ପାଣି ପିଉଥିବା ବେଣଳେ ହଠାତ୍ ଗୋଟିଏ କୁମ୍ଭୀର ତାକୁ ଆକ୍ରମଣ କରିଥିଲା। କୁମ୍ଭୀର କୁକୁରକୁ ପାଟି ଭିତରକୁ ଟାଣି ନେବା ଦେଖି ଛନ୍ଦାରେ ଗାଧୋଇଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଗ୍ରାମବାସୀ ଆରପଟେ ଥିବା ଚାଷ ଜମିକୁ ନାଳ ପାର ହୋଇ ଯାତାୟାତ କରିଥାନ୍ତି।

କୁମ୍ଭୀର କୁକୁରକୁ ଟାଣି ନେବାପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରକାଶ ଯେ, ନିକଟସ୍ଥ ଖରସ୍ରୋତା ନଦୀରେ ଗତ କିଛିଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିଲା। ଏହି କୁମ୍ଭୀରକୁ ଧରି ଅନ୍ୟତ୍ର ଛାଡ଼ିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ। ହେଲେ ବନ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଇନଥିଲା। ଆଜି ଯମୁନା ନାଳରେ କୁମ୍ଭୀର ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଏକ ଛେଳିକୁ ଟାଣିନେଇଥିବା ଜଣାପଡ଼ିଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଭୟଭୀତ ଅବସ୍ଥାରେ ରହିଥିବା ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର