ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ୍ ଅନ୍ତର୍ଗତ ଇଗଲ ପଞ୍ଚାୟତର ଏମଭି ୭୮ ଗାଁର ଏକ ପୋଖରୀରୁ ଅାଜି ଗ୍ରାମବାସୀମାନେ ଏକ କୁମ୍ଭୀରକୁ ଧରିଛନ୍ତି। ଧରାପଡ଼ିଥିବା କୁମ୍ଭୀରଟିର ଲମ୍ବ ୫ ଫୁଟ୍ରୁ ଅଧିକ ହେବ।
ମିଳିଥିିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ର ଏମଭି ୭୮ ଗାଁ ନିକଟରେ ପ୍ରବାହିତ ସାବେରୀ ନଦୀରୁ ଏକ କୁମ୍ଭୀର ଉଠିଆସି ଗାଁ ପୋଖରୀରେ ରହି ଯାଇଥିଲା। ଏ ନେଇ ଗ୍ରାମବାସୀମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଏହି କୁମ୍ଭୀରଟିକୁ ଧରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିଲା। ଅପରପକ୍ଷେ ଗାଁ ପୋଖରୀରେ ଏକ ୫ ଫୁଟ୍ ଲମ୍ବର କୁମ୍ଭୀର ଥିବାରୁ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା। ତେଣୁ ଉକ୍ତ କୁମ୍ଭୀରଟିକୁ ଧରିବା ପାଇଁ ଆଜି ଗ୍ରାମବାସୀମାନେ ନିଷ୍ପତ୍ତି ନେଇ ବଡ଼ ଜାଲ ଆଣି ପୋଖରୀରେ ପକାଇଥିଲେ। ତେବେ ଜାଲରେ କୁମ୍ଭୀରଟି ଫସିଯିବା ପରେ ଲୋକେ ତାକୁ ଧରି କୁଳକୁ ଆଣିବା ସହିତ ଏ ସମ୍ପର୍କରେ ବନ ବିଭାଗକୁ ଜଣାଇ କୁମ୍ଭୀରଟିକୁ ସେଠାରୁ ନେଇ ଯିବାକୁ ଅନୁରୋଧ କରିଛନ୍ତି।