ମତୋ: ନଦୀନାଳ ପରିପୂର୍ଣ୍ଣ ତଥା ସମୁଦ୍ର ଉପକୂଳ ଅଞ୍ଚଳରେ ଅବସ୍ଥିତ ଚାନ୍ଦବାଲିରେ ହିଂସ୍ର କୁମ୍ଭୀରଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ବୈତରଣୀ, ମନ୍ତେଇ ଓ ସାଳନ୍ଦୀ ନଦୀ ପ୍ରବାହିତ ହେଉଛି। କୃଷିକାର୍ଯ୍ୟ, ମାଛଧରା ସମେତ ସ୍ନାନଶୌଚାଦି ପାଇଁ ଲୋକେ ନଦୀ ଉପରେ ନିର୍ଭରଶୀଳ। କିନ୍ତୁ ଏବେ ନଦୀରେ କୁମ୍ଭୀର ଆକ୍ରମଣ ଭୟ ଘାରିଛି ଲୋକଙ୍କୁ। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ କିମ୍ବା ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ। ଏମିତିକି ଦୁର୍ଘଟଣା ଘଟିବା ପରେ ବି ସରକାରୀ ସହାୟତା ମିଳିପାରୁନାହିଁ। କେବଳ ମଣିଷ ନୁହେଁ, ନଈହୁଡାରେ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ମଧ୍ୟ କୁମ୍ଭୀର ମୁହଁରୁ ବାଦ ପଡୁନାହାନ୍ତି।କେନ୍ଦ୍ରାପଡା ଜିଲ୍ଲା ଭିତରକନିକା (ଡାଙ୍ଗମାଳ) କୁମ୍ଭୀର ପ୍ରଜନନ ପ୍ରକଳ୍ପ ଚାନ୍ଦବାଲିଠାରୁ ଜଳପଥରେ ମାତ୍ର ୩୦ କିମି ଦୂରରେ ରହିଛି। ୧୯୭୫ ମସିହାଠାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏଠାରେ ପ୍ରାୟତଃ ବଉଳା କୁମ୍ଭୀର ଦେଖାଯାଆନ୍ତି।
ଏହି ପ୍ରଜାତିର କୁମ୍ଭୀର ସାଧାରଣତଃ ହିଂସ୍ର। ଏହି କେନ୍ଦ୍ରର ଆଖପାଖ ନଦୀମାନଙ୍କରେ ପ୍ରାୟ ୧୮୦୦ ପ୍ରଜାତିର କୁମ୍ଭୀର ରହିଥିବା ବନ ବିଭାଗ ଗଣନାରୁ ଜଣାପଡିଛି। ୨୦୦୫ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ୧୭ ଜଣଙ୍କର ଜୀବନ ଅକାଳରେ ଝଡି ଯାଇଥିବା ବେଳେ ୫ ଜଣ ସବୁଦିନ ପାଇଁ ଅକର୍ମଣ୍ୟ ପାଲଟି ଯାଇଛନ୍ତି। ହିଂସ୍ର ଜନ୍ତୁମାନଙ୍କଠାରୁ ସୁରକ୍ଷା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କୁମ୍ଭୀରମାନଙ୍କୁ ନଦୀକୂଳ ଜନବସତି ନିକଟରୁ ଘଉଡାଇବା କିମ୍ବା ସେମାନଙ୍କୁ ରୋକିବା ଲାଗି ବନ ବିଭାଗ ପକ୍ଷରୁ ଚାନ୍ଦବାଲି ଅଞ୍ଚଳରେ ବିଶେଷ କିଛି ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ। ଲୋକେ ଚଳପ୍ରଚଳ ହେଉଥିବା ନଦୀ କୂଳମାନଙ୍କରେ ଶକ୍ତ ତାର ଜାଲି ଲଗାଇବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।