ରାୟଗଡା: ରାୟଗଡା ଜିଲ୍ଲାରେ ସର୍ବାଧିକ କପା ଚାଷ କରାଯାଉଥିବା ବେଳେ ଏହାପରେ ଧାନ, ମାଣ୍ଡିଆ ଓ ମକା ଚାଷ କରାଯାଇଥାଏ। ଏସବୁ ଚାଷକୁ ଛାଡିଦେଲେ ଚାଷୀ କାନ୍ଦୁଲ ଚାଷ ପ୍ରତି ମଧ୍ୟ ମନ ବଳାଉଛନ୍ତି। ଜିଲ୍ଲାର ୧୧ଟି ବ୍ଲକରେ କାନ୍ଦୁଲ ଚାଷ କରାଯାଇଥାଏ। ୪୯ ହଜାର ହେକ୍ଟରରେ କପା ଚାଷ ହେଉଥିବା ବେଳେ ୪୦ ହଜାର ହେକ୍ଟରରେ ଧାନ ଚାଷ କରାଯାଇଥାଏ।ସେହିପରି ମାଣ୍ଡିଆ ୨୦ ହଜାର ହେକ୍ଟରରେ କରାଯାଉଥିବା ବେଳେ ୧୫ ହଜାର ହେକ୍ଟରରେ ମକା ଚାଷ କରାଯାଇଥାଏ। ତେବେ ଜିଲ୍ଲାର ୧୦ ହଜାର ୯୦୦ ହେକ୍ଟର ଜମିରେ କାନ୍ଦୁଲ ଚାଷ କରାଯାଇଥାଏ। ଜିଲ୍ଲାରୁ ପ୍ରତିବର୍ଷ ୧୧ ହଜାର ମ୍ୟାଟ୍ରିକ ଟନ୍ କାନ୍ଦୁଲ ବାହାରକୁ ରପ୍ତାନି କରାଯାଇଥାଏ। ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ମୁଖ୍ୟ ଖାଦ୍ୟ ଡାଲି ଜାତୀୟ ଶସ୍ୟ କାନ୍ଦୁଲ।ବର୍ଷକ ଥରେ ଅମଳ କରିବା ପରେ ଏହାକୁ ବର୍ଷସାରା ସାଇତି ରଖି ଥାଆନ୍ତି। କିନ୍ତୁ ଚଳିତ ବର୍ଷ ପାଣିପାଗ ପରିବର୍ତ୍ତନ ଫଳରେ ଗଛରେ ଫୁଲ ନାହିଁ କି ଫଳ ନାହିଁ। ଫଳରେ ଅମଳ କରି ନିଜର ଆର୍ଥିକ ଅବସ୍ଥା ସୁଧାରିବାକୁ ଚେଷ୍ଟା କରୁଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।ଚଳିତ ବର୍ଷ ଜିଲ୍ଲାରେ କାନ୍ଦୂଲ ଡାଲି ଉତ୍ପାଦନ ହ୍ରାସ ନେଇ ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲାର ମୁନିଗୁଡା, ବିଷମକଟକ, କାଶିପୁର, କଲ୍ୟାଣସିଂପୁର ବ୍ଲକରେ କ।ନ୍ଦୁଲ ଚାଷର ବହୁଳ ଭାବରେ ଉତ୍ପାଦନ ହୋଇଥାଏ।

Advertisment

ଚଳିତ ବର୍ଷ ମୌସୁମୀ ତଥା ପାଣିପାଗର ପରିବର୍ତ୍ତନରେ ଅନିୟମିତତା ରହିଥିବା ଯୋଗୁଁ ଏହି କାନ୍ଦୁଲ ଚାଷ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଅମଳ ଋତୁ ହୋଇଥିବା ବେଳେ ଅନେକ ଗଛରେ ଫୁଲ ନାହିଁ କିମ୍ବା ଫଳ ଧରି ନାହିଁ। ସଦର ବ୍ଲକରେ ଥିବା ବୈରାଗୀ ହାଲୁଆ ପଞ୍ଚାୟତ,ସାନ ଲୁକୁଟି,ବଡ ଲୁକୁଟି. ଜେମାଦେଇପେଣ୍ଠ ପଞ୍ଚାୟତର ବାଣ ପୁର,ସାନ ହଂସା ଓ ଶେଷ ଖାଲ ପଞ୍ଚାୟତର କେରାଣ୍ଡି ରାଣ।ଗୁଡା ଆଦି ଗ୍ରାମରେ ଏକର ଏକର ଜମିରେ କାନ୍ଦୁଲ ଚାଷ ନଷ୍ଟ ହୋଇ ଯାଇଛି। ଚଳିତ ବର୍ଷ ଏହାର ଉତ୍ପାଦନ ହ୍ରାସ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ଘାରିଛି।ଋଣ କରି କାନ୍ଦୁଲ ଚାଷ କରୁଥିବା ଚାଷୀ ଏବେ ଚିନ୍ତାରେ ପଡିଛି। କାନ୍ଦୁଲ ଚାଷରେ କ୍ଷତି ସହିଥିବା ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।ଏ ସଂପର୍କରେ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି ଯେ ସମ୍ଭବତ କୌଣସି ରୋଗ ଜନିତ ସମସ୍ୟା ଯୋଗୁ ଗଛରେ ଫୁଲ କିମ୍ବା ଫଳ ଧରି ନାହିଁ କିମ୍ବା ପାଣିପାଗ ପରିବର୍ତ୍ତନ ମଧ୍ୟ ଏହାର କାରଣ ହୋଇଥାଇପାରେ। ବିଭାଗୀୟ କର୍ମଚାରୀଙ୍କୁ ପଠାଇ ଅନୁଧ୍ୟାନ କରାଯିବ ଓ ଦରକାର ପଡିଲେ ସବସିଡି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଚାଷୀ ନିଜଟସ୍ଥ କୃଷି ଅଧିକାରୀଙ୍କୁ ଏନେଇ ଅବଗତ କଲେ ସେମାନେ କ୍ଷତିପୂରଣ ପାଇପାରିବେ ବୋଲି କୁହାଯାଇଛି।