୨୨ରୁ କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଫସଲ ବୀମା

ତ୍ରିପାକ୍ଷିକ ବୈଠକରେ ବାହାରିଲା ସମାଧାନର ରାସ୍ତା

ସମ୍ବଲପୁର: ବର୍ଷେ ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ୨୦୧୮ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଫସଲ ବୀମାକୁ ନେଇ ସୃଷ୍ଟି ଅନିଶ୍ଚିତତା ଦୂର ହୋଇଛି।

ଜାନୁଆରି ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ପକ୍ଷରୁ କୁଚିଣ୍ଡା ଉପଖଣ୍ଡର କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ। ଏହି ଆଧାରରେ ୨୨ ତାରିଖ ସୁଦ୍ଧା ପ୍ରଭାବିତ ଚାଷୀଙ୍କ ଆକାଉଣ୍ଟକୁ ବୀମା ଟଙ୍କା ରିଲାଏନ୍‌ସ ବୀମା କମ୍ପାନି ଜମା କରିବ ବୋଲି ନିଷ୍ପତ୍ତି ହୋଇଛି। ଏଥିସହିତ ୩ ଦିନ ଧରି ଠପ୍ ହୋଇପଡ଼ିଥିବା କୁଚିଣ୍ଡା ଉପଖଣ୍ଡ ୯ ତାରିଖ ଠାରୁ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ଅନୁସାରେ, କୁଚିଣ୍ଡା ଉପଖଣ୍ଡ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ୧୬୦ କୋଟି ଟଙ୍କା ପାଇବାକୁ ହକଦାର। ମାତ୍ର ଏହି ଉପଖଣ୍ଡର ୪୯ଟି ପଞ୍ଚାୟତର ୧୨ ହଜାର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ସଂପର୍କରେ ଏ ଯାଏ କୌଣସି ରିପୋର୍ଟ ଆସିନାହିଁ। ଏଠାରେ ବିଭିନ୍ନ ପଞ୍ଚାୟତର ଫସଲ କଟା ରିପୋର୍ଟ ଉପରେ ବୀମା କମ୍ପାନିର ଆପତ୍ତି ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରଥମେ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନ ତରଫରୁ କମ୍ପାନି ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ଲାଭ ହୋଇ ନଥିଲା। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱାକ୍ଷରରେ ଫସଲ କଟା ରିପୋର୍ଟ ନେଇ କମ୍ପାନିର ଆପତ୍ତିକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇ ଥିଲା।

କୁଚିଣ୍ଡା ଉପଖଣ୍ଡର ଯେଉଁ ଫସଲ କଟା ରିପୋର୍ଟକୁ ନେଇ ଆପତ୍ତି ରହିଛି ଏ ସଂକ୍ରାନ୍ତରେ ସର୍ଭେ ପାଇଁ କେନ୍ଦ୍ର ସରକାରଙ୍କ ମହାଲାନବିସ ନେସନାଲ କ୍ରପ ଫୋରକାଷ୍ଟ ସେଣ୍ଟରକୁ ରେଫର ହୋଇଥିଲା। ନିୟମ ଅନୁଯାୟୀ, ଏହି ସେଣ୍ଟରର ରିପୋର୍ଟକୁ ବୀମା କମ୍ପାନି ମାନିବାକୁ ବାଧ୍ୟ ଅଟନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ବୀମା ଟଙ୍କା ନ ମିଳିବା ନେଇ ସମ୍ବଲପୁର ଜିଲ୍ଲା ଚାଷୀ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ କରି ଆସୁଥିଲେ।

ସମ୍ବଲପୁର ଜିଲ୍ଲାପାଳଭ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ ପରେ ମଧ୍ୟ କୌଣସି ଲାଭ ହେଲା ନାହିଁ। ଶେଷରେ ବାଧ୍ୟ ହୋଇ ଶନିବାର ଚାଷୀମାନେ ସମ୍ପୂର୍ଣ୍ଣ କୁଚିଣ୍ଡା ଉପଖଣ୍ଡକୁ ଅଚଳ କରି ଦେଇଥିଲେ। ଶିକ୍ଷାନୁଷ୍ଠାନକୁ ବାଦ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ୩ ଦିନ ହେଲା ବନ୍ଦ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ତ୍ରିପାକ୍ଷିକ ବୈଠକ ଡକାଯାଇ ଥିଲା। କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ବାମରା, କୁଚିଣ୍ଡା ଏବଂ ଜମନକିରା ବ୍ଲକର ଅନେକ ଚାଷୀ ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ୩ଟି ବ୍ଲକର ୫ ଜଣିଆ ଚାଷୀ ପ୍ରତିନିଧି, ଚାଷୀ ସଙ୍ଗଠନର ପ୍ରତିନିଧି ଅଶୋକ ପ୍ରଧାନ, ହରିଶଙ୍କର ପୁରୋହିତ ଏବଂ ମୁରାରି ପୁରୋହିତ, କୁଚିଣ୍ଡା ବିଧାୟକ କିଶୋର ନାଏକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ ବୈଠକରେ ସାମିଲ ହୋଇ ଆଲୋଚନା କରିଥିଲେ। ପୂର୍ବରୁ କରାଯାଇ ଥିବା କ୍ଷୟକ୍ଷତି ଆକଳନ ଓ କେନ୍ଦ୍ର ସରକାରଙ୍କ ବୈଷୟିକ କମିଟିର କ୍ଷୟକ୍ଷତି ରିପୋର୍ଟରେ ତାଳମେଳ ନ ରହିଲେ ଏହାକୁ ଚାଷୀ ସଙ୍ଗଠନ ଗ୍ରହଣ କରିବ ନାହିଁ ବୋଲି ବୈଠକରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର