ଚକଡ଼ା ପୋକ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ, ନିଆଁ ନ ଲଗାଇବାକୁ ଅଧିକାରୀ ଦେଲେ ପରାମର୍ଶ 

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷିଜିଲ୍ଲା ଅନ୍ତର୍ଗତ ପଣ୍ଡିଆପାଲି ଗ୍ରାମର ଚାଷ ଜମିରେ ଚକଡ଼ା ଲାଗିବାରୁ ଚାଷୀ ହତାସ ହୋଇ ଏବେ ଧାନଚାଷରେ ନିଆଁ ଲଗେଇ ଦେଇଛନ୍ତି। ଅଂଚଳର ଚାଷୀ ଚଳିତ ବର୍ଷ ବିଳମ୍ବରେ ହେଲେ ମଧ୍ୟ ଧାନଚାଷ କରିଥିଲେ। ଧାର କରଜ କରି ରୁଅ ବିହୁଡା କରି ଠିକ ସମୟରେ ସାର ମଧ୍ୟ ଦେଇ ଥିଲେ। ଫସଲ ମଧ୍ୟ ଗୋଟିଏ ପ୍ରକାର ଭଲ  ହୋଇଥିଲା। ଉକ୍ତ ଅଞ୍ଚଳର ଚାଷୀଙ୍କ କେବେ ମରୁଡ଼ି ତ କେବେ ରୋଗପୋକ ଲାଗି ଫସଲ ହାନି ହୋଇଥାଏ।ମାତ୍ର ଏବେ ଚାଷୀଙ୍କୁ ଘାରିଛି ଚକଡା ଚିନ୍ତା ।

ଠିକ ଧାନ ଅମଳ ସମୟରେ ଚାଷୀଙ୍କ ଅବସ୍ଥାକୁ ବେହାଲ କରିଛି ଚକଡା ପୋକ । ଶହ ଶହ ଏକର ଧାନ ଫସଲକୁ ନଷ୍ଟ କରିଦେଲେଣି ଚକଡା । ଧାନତ ଦୂରର କଥା ଆଉ ବିଲରୁ ପୁଆଳବି ବାହାରିବନି । ଏପରିକି ଗୋରୁ ଗାଈମାନଙ୍କୁ ବିଲର ପୁଆଳ ଖାଇବାକୁ ମିଳିବ ନାହିଁ। ଗୋଟିଏ ବିଲରୁ ଆଉ ଗୋଟିଏ ବିଲକୁ ଦେଖୁଁ ଦେଖୁଁ ମାଡିଯାଉଛନ୍ତି ଚକଡା। ଫଳରେ ଏବେ ଉଜୁଡା ଫସଲ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଚିନ୍ତାଗ୍ରସ୍ତ ଚାଷୀ ଏବେ ଅନ୍ୟ ବିଲରେ ଥିବା ଫସଲକୁ ସୁରକ୍ଷା ଦେବାପାଇଁ ଶୁକ୍ରବାର ସଂଧ୍ୟାରେ ଧାନ ବିଲରେ ନିଆଁ ଲଗାଇଦେଇଛନ୍ତି ।

ପଣ୍ଡିଆପାଲି ଗ୍ରାମର ଧନଞ୍ଜୟ ବେହେରା, ଭାଗିରଥି ବେହେରା, ସଞ୍ଜିବ ସାହୁ, ରୁପେନ ବେହେରା, ଅଭି ବେହେରା, କମ୍ଭୁ ସେଠି, ବୈଶାଖୁ ସାହୁ, ଦାସରଥି ବେହେରାଙ୍କ ସମେତ ଅନ୍ୟାନ୍ୟ ଚାଷୀଙ୍କ ଜମିରେ ଚକଡ଼ା ପୋକ ଲାଗିଛନ୍ତି। ସେମାନେ ବଳକା ଫସଲ ବଞ୍ଚାଇବା ପାଇଁ ଚକଡା ଲାଗିଥିବା ଜମିରେ ନିଆଁ ଲଗେଇ ଦେଇଛନ୍ତି। କୃଷୀ ଅଧିକାରୀଙ୍କ ଠାରୁ ଠିକରେ ପରାମର୍ଶ ମିଳୁ ନ ଥିବା ସହିତ ମାଗଣାରେ ଚକଡା ପାଇଁ କିଟନାସକ ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ କୃଷି ଅଧିକାରୀ କୃଷୀ ଜିଲ୍ଲା ଅଧିକାରୀ ପ୍ରମୀଲ୍ କୁମାର ସ୍ବାଇଁଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ କିଟତତ୍ଵ ବିଶେଷଜ୍ଞଙ୍କ ସହିତ ଜିଲ୍ଲା କୃଷି ବିଭାଗର କର୍ମକର୍ତ୍ତା ପଣ୍ଡିଆପାଲି ଗ୍ରାମକୁ ଯାଇ ସର ଜମିନ୍ ତଦନ୍ତ କରିଛନ୍ତି । ଏହା ସହିତ ଚକଡା଼ ପୋକ ଲାଗିଥିବା ଧାନ ଗଛରେ ନିଆଁ ନ ଲଗାଇବାକୁ ପରାମର୍ଶ ଦେଇଛନ୍ତି । କାରଣ ଧାନ ଗଛରେ ନିଆଁ ଲଗାଇ ଦେଲେ ପୋକମାନେ ଅନ୍ୟ ଧାନ ଗଛକୁ ଯାଇ ଆହୁରି ଫସଲ ନଷ୍ଟ କରିବେ । ସେଥିପାଇଁ ଚାଷୀ ମାନଙ୍କୁ  ଚକଡା ପୋକ  ପାଇଁ କିଟନାଶକ  ଔଷଧ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଯେଉଁ ଚାଷୀ ମାନେ ଔଷଧ ବାହାରୁ କିଣିବେ ସେମାନଙ୍କୁ କୃଷୀ ବିଭାଗ ତରଫରୁ ହେକ୍ଟର ପିଛା ୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ କିନ୍ତୁ ଚାଷୀ ମାନେ ବିିଲ୍ ଦେଲା ପରେ ତାଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ଦିଆଯିବ। ଏହାସହିତ ଚାଷୀ ମାନେ ଚାହିଁଲେ ସେମାନେ ରିହାତି ଦରରେ  କୀଟନାଶକ ଔଷଧ ନେଇପାରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କୃଷି ଜିଲ୍ଲା ଅଧିକାରୀ। ମାତ୍ର ଅଂଚଲର ଚାଷ ଜମିରେ ଚକଡା ଲାଗିଥିବା ନେଇ କୌଣସି ଅଭିଯୋଗ ଆସି ନ ଥିବା ପ୍ରକାଶ କରିଛନ୍ତି। ବିଭାଗ ଉକ୍ତ ଘଟଣାକୁ ଗୁରୁତ୍ବ ଦେଇ ଏହାର ନିରାକରଣ ବ୍ୟବସ୍ଥା କରିବା ସହିତ ଆଗାମୀ ଦିନରେ ଚାଷୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯିବାର ବ୍ୟବସ୍ଥା କରାଯିବ ବୋଲି ବିଭାଗ ତରଫରୁ କୁହାଯାଇଛି ।

ଅପରପକ୍ଷରେ କୃଷକ ସଂଗଠନ ତରଫରୁ କୃଷି ବିଭାଗର ଦୁରଦୃଷ୍ଟି ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କ ବିଭାଗର କୃଷି କର୍ମଚାରୀ ଅଛନ୍ତି ସେମାନେ କରୁଛନ୍ତି କ’ଣ ବୋଲି କହୁଛି ସଙ୍ଗଠନ । ଏଣୁ ତୁରନ୍ତ କୃଷି ବିଭାଗ ତରଫରୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ସହିତ ଯେଉଁ ଚାଷୀ ମାନଙ୍କ ଧାନ ଚକଡା ପୋକ ଯୋଗୁଁ ନଷ୍ଟ ହୋଇଛି ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି କୃଷକ ନେତା ନରୋତ୍ତମ ପ୍ରଧାନ ।

ସମ୍ବନ୍ଧିତ ଖବର