ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ଖରିଫ ଋତୁରେ ୧୨ ହଜାର ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚଳିତ ବର୍ଷର ଏହି କ୍ଷୟକ୍ଷତି ୨୦୧୭ରେ ହୋଇଥିବା ନିଅଣ୍ଟିଆ ବର୍ଷାଜନିତ ଫସଲ କ୍ଷତିର ରେକର୍ଡ ଭାଙ୍ଗିଛି।
ସଫଳ ଖରିଫ ଧାନ ଫସଲ ନିମନ୍ତେ ସର୍ବନିମ୍ନ ୧୦୦ ଦିନରୁ ୧୧୦ ଦିନ ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ହେବା ଦିନର ସଂଖ୍ୟା ୬୦ ମଧ୍ୟରେ ରହିଥିଲା। କେବଳ ଏହା ନୁହେଁ, ଧାନ କ୍ଷୀର ଧରିବା ସମୟ ବେଳକୁ ପ୍ରାୟ ୧ ମାସ ଧରି ବର୍ଷା ହେଲାନାହିଁ। ଫଳରେ ବିଭିନ୍ନ ସ୍ଥାନରୁ ଚାଷୀମାନେ ଫସଲହାନୀର ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲା କୃଷି ବିଭାଗ ଚଳିତ ମାସ ପ୍ରଥମ ସପ୍ତାହରେ ଏକ ପ୍ରାଥମିକ ସର୍ଭେ କରି ରିପୋର୍ଟ ଦେବାକୁ ଭିଏଲ୍ଡବ୍ଲୁଙ୍କୁ ନିର୍ଦ୍ଦେଶ ଦେଇଥିଲା। ୮ ତାରିଖରେ ମିଳିଥିବା ପ୍ରାଥମିକ ରିପୋର୍ଟରେ ଜିଲ୍ଲାର ୬ଟି ବ୍ଲକରେ ୯ହଜାର ୫୧୮ ହେକ୍ଟର ଚାଷ ଜମି ବର୍ଷା ଅଭାବରୁ ଆଦ୍ରତା ଚାପ (ମଏଶ୍ଚର ଷ୍ଟ୍ରେସ୍) ବା ଜମି ଶୁଖିଲା ରହିଥିବା ଜଣାପଡ଼ିଥିଲା। ବର୍ତମାନ ଦ୍ବିତୀୟ ରିପୋର୍ଟରେ ଏହି ପରିମାଣ ୧୨ ହଜାର ହେକ୍ଟରକୁ ବୃଦ୍ଧି ପାଇଛି।
୮ ତାରିଖର ପ୍ରାଥମିକ ଆକଳନରେ ଜିଲ୍ଲାର ୬ଟି ବ୍ଲକରେ ୯୫୧୮ ହେକ୍ଟର ( ୧ ହେକ୍ଟର= ୨.୪୭ ଏକର) ଧାନ ଫସଲ ବର୍ଷା ଅଭାବରୁ ନଷ୍ଟ ହୋଇଥିବା ଜଣାଯାଇଥିଲା। ଖୋର୍ଦ୍ଧା ବ୍ଲକର ସର୍ବାଧିକ ୩୮୩୬ ହେକ୍ଟର ଧାନଫସଲ ବର୍ଷା ଅଭାବରୁ ନଷ୍ଟ ହୋଇଯିବା ସମ୍ଭାବନା ଥିଲା। ସେହିଭଳି ବେଗୁନିଆରେରେ ୨୦୫୪ ହେକ୍ଟର, ବୋଲଗଡ଼ରେ ୨୫୭୦ ହେକ୍ଟର, ଟାଙ୍ଗୀରେ ୧୧୬୨ ହେକ୍ଟର, ଭୁବନେଶ୍ବର ବ୍ଲକରେ ୭୧ ହେକ୍ଟର, ଜଟଣୀରେ ୩୨୫ ହେକ୍ଟର ଚାଷ ଜମି ବର୍ଷା ଅଭାବରୁ ନଷ୍ଟ ହେବା ସମ୍ଭାବନା ଥିଲା। ଆଗାମୀ ୪-୫ ଦିନ ମଧ୍ୟରେ ବର୍ଷା ନପଡ଼ିଲେ ଏହି ପରିମାଣ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା। ବର୍ତମାନ ଏହି ଆଶଙ୍କା ପ୍ରାୟତଃ ସତ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ରିପୋର୍ଟରେ ଖୋର୍ଦ୍ଧା ବ୍ଲକର ୫୩୫୨ ହେକ୍ଟର ଧାନ ଫସଲ ଜମି ଶୁଖିଲା ରହିଥିବା ବେଳେ ଟାଙ୍ଗୀରେ ୨୨୩୯, ବୋଲଗଡ଼ରେ ୨୨୯୪ ହେକ୍ଟର, ବେଗୁନିଆରେ ୨୦୫୪ ହେକ୍ଟର, ଚିଲିକାରେ ୫୩୦ ହେକ୍ଟର ଓଭୁବନେଶ୍ବର ବ୍ଲକରେ ୨୩ ହେକ୍ଟର ଜମି ଶୁଖିଲା ରହିଛି। ଏହାର ମୋଟ ପରିମାଣ ୧୨ ହଜାର ୪୯୨ ହେକ୍ଟର ରହିଛି।
ଏହାପୂର୍ବରୁ ୨୦୧୭ରେ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଜନିତ ଫସଲ ହାନୀ ହୋଇଥିଲା। ଏଥିରେ ବୋଲଗଡ଼ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ୧୦ଟି ଗାଁର ୧୭୩ଜଣ ଚାଷୀଙ୍କ ୨୩ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ସେମାନଙ୍କୁ ତତ୍କାଳୀନ କ୍ଷତିପୂରଣ ବାବଦରେ ୧ଲକ୍ଷ୫୬ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିଲା।
ଏନେଇ ଜିଲ୍ଲା କୃଷି ଅଧିକାରୀ ଶରତ ଚନ୍ଦ୍ର ପରିଡ଼ା କହିଛନ୍ତି ଯେ ଜିଲ୍ଲାରେ ଖରିଫ ଋତୁରେ ୧ଲକ୍ଷ ୨୮୫୬ ହେକ୍ଟର ଜମିରେ ଧାନ ଫସଲ କରାଯାଇଥାଏ। ଚଳିତ ବର୍ଷ ୧ଲକ୍ଷ ୩୨୦୦ ହେକ୍ଟରରେ ଧାନ ଫସଲ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସର୍ଭେର କ୍ଷୟକ୍ଷତି ରିପୋର୍ଟକୁ ସରକାରଙ୍କ ନିକଟକୁ ପଠାଯାଇଛି। କ୍ଷୟକ୍ଷତିର ଆକଳନ ଓଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ କ୍ରପ କଟିଂ ପାଇଁ ଅନୁମତି ମିଳିଛି। ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ।