ଜଙ୍ଗଲ ଜମିରେ ପଥର ଖାଦାନ ଓ କ୍ରସର ଘଟଣା: ପୁଲିସ୍ ତଦନ୍ତକୁ ସହଯୋଗ କରୁନି ଜିଲ୍ଲା ପ୍ରଶାସନ

ରାୟଗଡ଼ା: ବର୍ଷ ବର୍ଷ ଧରି ଜଙ୍ଗଲ ଜମିରୁ ଲୁଟ୍ ହେଉଥିଲା ପଥର। ଜିଲ୍ଲା ପ୍ରଶାସନ-ରାଜସ୍ବ ବିଭାଗ-ପୁଲିସ୍ କାହାରି ଅନୁମତି ନଥିବା ସତ୍ତ୍ବେ ଖୁଲମଖୁଲା ଭାବେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପାହାଡ଼ରେ ଫୁଟୁଥିଲା ପଥର। ଆଖପାଖ ଲୋକଙ୍କ ବିରୋଧକୁ ନାଲିଆଖି ଦେଖାଇ ମାଫିଆ ଚାପି ଦେଉଥିବା ବେଳେ ରାଜସ୍ବ ବିଭାଗ ଅଧିକାରୀଙ୍କ ନିରବତା ପାଇଁ ଫିକ୍ସ ହୋଇଥିଲା ମାସିକିଆ ମୋଟା ଅଙ୍କର ହାତଗୁଞ୍ଜା। ଯାହାର ଗୁମର ପୁଲିସ୍ କାର୍ଯ୍ୟାନୁଷ୍ଠାନ ପରେ ଖୋଲିବାରେ ଲାଗିଛି। ପଥର ଲୁଟ୍ ପାଇଁ ଡାଙ୍ଗସୋରଡ଼ା ରାଜସ୍ବ ସର୍କଲର ଖାରିଗୁଡ଼ା, ଗଇଗୁଡ଼ା ସମେତ ଡାଙ୍ଗସୋରଡ଼ା ଅଞ୍ଚଳରେ ଥିବା ପାହାଡ଼କୁ ଟାର୍ଗେଟ୍ କରିଥିଲା ମାଫିଆ। ୪ ବର୍ଷରୁ ଉର୍ଧ୍ବ ସମୟ ଧରି ଚାଲିଥିବା ବେଆଇନ ଲୁଟ୍ ପାଇଁ ଡାଙ୍ଗସୋରଡ଼ା ସର୍କଲର ତିନି ପାହାଡ଼ ଏବେ ଲଣ୍ଡା ପାଲଟି ଗଲାଣି। ଗଛ, ପତ୍ର ନଷ୍ଟ ସହିତ ବିସ୍ଫୋରଣ ଯୋଗୁ ଜଙ୍ଗଲରେ ବିସ୍ତାରିତ ହୋଇ ପଡିଛି ଛୋଟ ବଡ଼ ପଥର ଓ ମେଟାଲ୍। ଫଳରେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି।

ବେଆଇନ କ୍ରସର ଓ ପଥର ଖାଦାନ ମାଧ୍ୟମରେ ମାଫିଆ ଗତ ୪ ବର୍ଷରେ କୋଟି କୋଟି ଟଙ୍କାର ପଥର ଲୁଟି ନେଇଥିବା ବେଳେ ଏହା ବାବଦକୁ ଚନ୍ଦ୍ରପୁର ତହସିଲକୁ ଯାଇନି ଟଙ୍କାଟିଏ ରାଜସ୍ବ। ସରକାରୀ ସୂଚନା ମୁତାବକ, ଚନ୍ଦ୍ରପୁର ତହସିଲ ଅଧୀନରେ କୌଣସି ପଥର ଖାଦାନ କିମ୍ବା କ୍ରସର ୟୁନିଟ୍ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ସରକାରୀ ଅନୁମତି ନଥାଇ ଡାଙ୍ଗସୋରଡ଼ା ସଦର ମହକୁମାରେ ଚାଲିଥିବା କ୍ରସର ୟୁନିଟ୍ ଓ ପଥର ଖାଦାନ ଉପରେ ଚନ୍ଦ୍ରପୁର ତହସିଲ କର୍ତ୍ତୃପକ୍ଷ ଦିନଟିଏ ବି ଚଢ଼ଉ କରିନାହାନ୍ତି। ଯାହା ବିଭାଗୀୟ ଅସାଧୁ କର୍ମଚାରୀ-ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଅନ୍ୟପକ୍ଷରେ ଚନ୍ଦ୍ରପୁର ସମେତ ମୁନିଗୁଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ରାସ୍ତାକାମ ପାଇଁ ଆବଶ୍ୟକ ପଥର, ମେଟାଲ୍, ଗୁଡ଼ି ନିଜ ଟ୍ରାକ୍ଟର୍ ମାଧ୍ୟମରେ କ୍ରସର ମାଲିକ କିଶୋର ଚନ୍ଦ୍ର ହରିଚନ୍ଦନ ଯୋଗାଇ ଆସୁଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଇନାହାନ୍ତି। ଶେଷରେ ପଥର ଖାଦାନରେ ବିସ୍ଫୋରକ ବ୍ୟବହାର ଅଭିଯୋଗରେ ମୁନିଗୁଡ଼ା ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ, ରାଜସ୍ବ ବିଭାଗ କିମ୍ବା ଖଣି ବିଭାଗ ବେଆଇନ ଉତ୍ତୋଳନର ତଦନ୍ତ ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। ବରଂ ଘଟଣାକୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ ଚାପ ପଡିଥିବା ସୂଚନା ମିଳିଛି।

ବାରମ୍ବାର ନୋଟିସ୍ ପରେ ବି ଜିଲ୍ଲା ପ୍ରଶାସନ ବେଆଇନ ପଥର ଖାଦାନ ଓ କ୍ରସର ୟୁନିଟକୁ ତଦନ୍ତ ପରିସରଭୁକ୍ତ କରୁନଥିବାରୁ ପୁଲିସ୍ ତଦନ୍ତରେ ବାଧା ଉପୁଜିଛି। ସେପଟେ ପ୍ରଶାସନିକ ସ୍ଥାଣୁତାର ଫାଇଦା ଉଠାଇ ହାଇକୋର୍ଟର ଦ୍ବାରସ୍ଥ ହୋଇ ଜାମିନ୍ ଆବେଦନ କରି ଖସି ଯିବାକୁ ବସିଛି କ୍ରସର ୟୁନିଟ୍ ମାଲିକ ଶ୍ରୀ ହରିଚନ୍ଦନ। ମୁନିଗୁଡ଼ା ଥାନାରେ ମାମଲା ରୁଜୁ ପରେ ଚନ୍ଦ୍ରପୁର ତହସିଲ ଡାଙ୍ଗସୋରଡ଼ା ମୌଜାର ଦୋଡାଗଣ୍ଡାରେ ଥିବା ପଥର ଖାଦାନ ଓ ପଞ୍ଚାୟତ ସଦର ମହକୁମାରେ ଥିବା କ୍ରସର ୟୁନିଟ୍ ବନ୍ଦ ରହିଛି। ପୁଲିସ୍ ବେଆଇନ ପଥର ଖନନ ଓ ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟର, ଗୋଟିଏ ଏକଜାଭେଟର୍, ୨ଟି ଜେସିବି ମେସିନକୁ ଜବତ କରିଛି। ମୁନିଗୁଡ଼ା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଘଟଣାର ତଦନ୍ତ କରୁଥିବା ବେଳେ କ୍ରସର ଓ ପଥର ଖାଦାନ ମାଲିକ୍ କିଶୋର ଚନ୍ଦ୍ର ହରିଚନ୍ଦନଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର