ରାୟଗଡ଼ା: ଚନ୍ଦ୍ରପୁର ତହସିଲ ଡାଙ୍ଗସୋରଡ଼ା ରାଜସ୍ବ ସର୍କଲରେ ଜଙ୍ଗଲ ଜମିରେ ବେଆଇନ କ୍ରସର ଓ ପଥର ଖାଦାନ କରି ରାଜସ୍ବ ଲୁଟ୍ କରିବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ପ୍ରଶାସନର ବିନା ଅନୁମତିରେ ଏବଂ ତହସିଲର ଲିଜ ଡିଡ୍ ବିନା କିପରି ବର୍ଷବର୍ଷ ଧରି ଖାଦାନ ଓ କ୍ରସର ଚାଲିଥିଲା ତାହାର ସବିଶେଷ ତଥ୍ୟ ସଂଗ୍ରହ କରି ତଦନ୍ତ ରିପୋର୍ଟ ଦେବାକୁ ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନାଙ୍କୁ ନିର୍ଦେଶ ହୋଇଛି। ମାଓ ପ୍ରବଣ ଓ ଅପହଞ୍ଚ ଇଲାକା ଭାବେ ପରିଚିତ ଚନ୍ଦ୍ରପୁର। ଜିଲ୍ଲା ସଦର ମହକୁମାରୁ ୧୨୦ କିମି ଦୂରରେ ରହିଛି ତହସିଲ କାର୍ଯ୍ୟାଳୟ। ଯାହାର ଫାଇଦା ଉଠାଇ ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବେଆଇନ ଭାବେ ପାହାଡ଼ ଫଟାଇ ପଥର ଲୁଟି ଚାଲିଥିଲେ ମାଫିଆ। ଚନ୍ଦ୍ରପୁର, ଡାଙ୍ଗସୋରଡ଼ା ସମେତ ତହସିଲର ଅନେକ ରାଜସ୍ବ ସର୍କଲରେ ଥିବା ଛୋଟ, ବଡ଼ ପାହାଡ଼କୁ ଟାର୍ଗେଟ୍ କରି ମାଫିଆ ବେଆଇନ କାରବାର ଚଲାଇ ମାଲାମାଲ୍ ହେବାରେ ଲାଗିଥିଲେ। ରାଜସ୍ବ ବିଭାଗର ଅସାଧୁ କର୍ମଚାରୀଙ୍କୁ ହାତବାରିସ୍ କରି ମାଫିଆ ଏହି ଧନ୍ଦା ଚଲାଇବା ସହ ସରକାରଙ୍କ ପକ୍ଷରୁ ନିର୍ମାଣଧୀନ ରାସ୍ତା, କୋଠାବାଡ଼ି ନିର୍ମାଣ କାମକୁ ହିଁ ପଥର, ମେଟାଲ୍, ଚିପସ୍ ଯୋଗାଇ ଚାଲିଥିଲେ। ବିନା ଲିଜରେ ପଥର ଖାଦାନ-କ୍ରସର ଚାଲିଥିବାରୁ ନିଜ ଇଚ୍ଛା ମୁତାବକ ସାମଗ୍ରୀ ଦର ଧାର୍ଯ୍ୟ କରି ବିକ୍ରି କରୁଥିଲେ। ଯାହା ବାବଦକୁ ମାସିକ ଲକ୍ଷାଧିକ ଟଙ୍କାର ଲାଭ ପାଉଥିଲେ ମାଫିଆ। କିନ୍ତୁ ରାଜସ୍ବ ବାବଦକୁ ସରକାରୀ ତହବିଲକୁ ଟଙ୍କାଟିଏ ଦେଉନଥିଲେ।
ତହସିଲ କର୍ତ୍ତୃପକ୍ଷ ମଧ୍ୟ ଚନ୍ଦ୍ରପୁର ଅଞ୍ଚଳରେ କୌଣସି ଖାଦାନ କିମ୍ବା କ୍ରସର ନଥିବା ଦର୍ଶାଇ ସରକାର ଓ ଜିଲ୍ଲାପାଳଙ୍କୁ ଫାଙ୍କି ଚାଲିଥିଲେ। ଯାହାର ସାମାନ୍ୟ ସୁରାକ୍ ବରିଷ୍ଠ ଅଧିକାରୀମାନେ ଜାଣି ପାରୁନଥିଲେ। ଅନ୍ୟପକ୍ଷରେ ବେଆଇନ ପଥର ଖାଦାନ ଓ କ୍ରସର ଚଲାଇଥିବା କିଶୋର ଚନ୍ଦ୍ର ହରିଚନ୍ଦନ ପୁଲିସ ନଜରକୁ ଆସିବା ପରେ ଚୋରା ଚାଲାଣରେ ରୋକ୍ ଲାଗିଛି। ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁଯାୟୀ, ଡାଙ୍ଗସୋରଡ଼ା ରାଜସ୍ବ ସର୍କଲର ଖାରିଗୁଡ଼ା, ଗଇଗୁଡ଼ା, ଡାଙ୍ଗସୋରଡ଼ାରେ ଥିବା ପାହାଡ଼କୁ ଟାର୍ଗେଟ୍ କରି ଚାଲିଥିଲା ବେଆଇନ ଖନନ ଓ କ୍ରସର। ବଡ଼ ବଡ଼ ପଥରକୁ ଏକଜାଭେଟର୍ ମାଧ୍ୟମରେ ଓ ଛୋଟ ମୁଣ୍ଡିଆ ଗୁଡ଼ିକ ବିସ୍ଫୋରକ ଭ୍ରାଇବ୍ରେଟର ମାଧ୍ୟମରେ ଫଟାଯାଉଥିଲା। ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ବେଆଇନ କାରବାର ଚାଲିଥିବାରୁ ଆଖପାଖ ଅଞ୍ଚଳର ସବୁଜିମା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ଏ ନେଇ ‘ସମ୍ବାଦ’ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବେଆଇନ କାରବାରର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେନା ତଦନ୍ତ ରିପୋର୍ଟ ଦାଖଲ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବେଆଇନ କାରବାର ଚଲାଇଥିବା କ୍ରସର ମାଲିକ ହରିଚନ୍ଦନ ନାଁରେ ମୁନିଗୁଡ଼ା ପୁଲିସ ମାମଲା ରୁଜୁ କରିବା ସହ ୪ଟି ଟ୍ରାକ୍ଟର, ଗୋଟିଏ ଏକଜାଭେଟର୍, ୨ଟି ଜେସିବି ମେସିନକୁ ଜବତ କରିଛି। ମାମଲା ରୁଜୁ ପରେ ପୁଲିସ ଏ ସମ୍ପର୍କରେ ଜିଲ୍ଲାପାଳ, ତହସିଲଦାର, ଖଣି ବିଭାଗ ଉପନିର୍ଦେଶକ, ଆରଟିଓଙ୍କୁ ନୋଟିସ୍ କରି ଅବଗତ କରିଛନ୍ତି। ବେଆଇନ ପଥର ଖାଦାନାରେ ଲାଗିଥିବା ଏକଜାଭେଟର, ଜେସିବି ମେସିନ୍ ଓ ଟ୍ରାକ୍ଟରର ଇନସ୍ୟୁରାନସ୍, ରୋଡ୍ ପରମିଟ୍, ଫିଟସେନ୍ ଅଛି କି ନାହିଁ ସେ ନେଇ ତଦନ୍ତ କରିବାକୁ ଆରଟିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଯାବତ୍ ପରିବହନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ହୋଇନି। ସେହିପରି ଲୁଟ୍ ପରିମାଣ ଆକଳନ କରିବାକୁ ଖଣି ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିନି। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ ପରେ ରାଜସ୍ବ ବିଭାଗ ଅଧିକାରୀ ଆକ୍ସନ୍ ମୁଡକୁ ଆସିଛନ୍ତି।