ଖୋର୍ଦ୍ଧା: ରାଜ୍ୟରେ ଅପରାଧିକ ସିଣ୍ଡିକେଟ୍‌ ଚଳାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରକାଶ ରାଉତରାୟଙ୍କ ଛତ୍ରମା ଛକ ଠାରେ ଥିବା କ୍ରସର ୟୁନିଟ୍‌କୁ ସିଲ କରାଯାଇଛି। ଆଜି ଶନିବାର ପୂର୍ବାହ୍ନରେ ତହସିଲଦାର ବିଭାସ ପାଣିଗ୍ରାହୀ, ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ, ଆରଆଇ, ସଦର ଥାନା ଆଇଆଇସି କାହ୍ନୁ ଚରଣ ସ୍ବାଇଁ ଓ ଅନ୍ୟ ପୁଲିସ ଅଧିକାରୀ କ୍ରସର ୟୁନିଟ୍‌ରେ ପହଞ୍ଚି ୟୁନିଟ୍‌କୁ ସିଲ କରିଥିଲେ। ଏହି ଘଟଣାରେ ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରସର ୟୁନିଟ୍‌‌ ଖୋଲିବାକୁ ୧ ଏକର ଜମି ପ୍ରକାଶ ରାଉତରାୟଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ସେ ଆଖପାଖର ଅତିରିକ୍ତ ୭ ଏକର ୫୦ ଡେସିମଲ୍‌ ଜମି ଜବରଦଖଲ କରି ରଖିଥିଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇ ୭ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ କୁହାଯାଇଥିଲା। କେବଳ ଏହାନୁହେଁ ୯ ତାରିଖରେ ଚଢ଼ଉ ବେଳେ କ୍ରସର ୟୁନିଟ୍‌ରେ ବେଆଇନ ଭାବେ ପଥର, ଗେଟି ଆଦି ମହଜୁଦ ରଖିବା ଜଣାପଡ଼ିଥିଲା।

Advertisment

କୌଣସି ବୈଧ ଅନୁମତି ନଥାଇ ଏଭଳି ଗଚ୍ଛିତ ରଖିବା ଘଟଣାରେ ମଧ୍ୟ ଲଘୁ ଖଣିଜ ଆଇନାନୁସାରେ ନୋଟିସ୍‌ ଦିଆଯାଇଥିଲା। ଉଭୟ ଘଟଣାରେ ଆଜି ଶନିବାର ଉପଜିଲ୍ଲାପାଳଙ୍କ କୋର୍ଟର ଆଦେଶ ପରେ ଉକ୍ତ କ୍ରସର ୟୁନିଟ୍‌କୁ ସିଲ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ୬ ତାରିଖରେ ଅପରାଧିକ ସିଣ୍ଡିକେଟ୍‌ ଚଳାଇବା, ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରିବା ଆଦି ମାମଲାରେ ସଞ୍ଜୟ ଲେଙ୍କା ସହ ଖୋର୍ଦ୍ଧାର ଜଣାଶୁଣା ଖଣି ଓ କ୍ରସର ବ୍ୟବସାୟୀ ପ୍ରକାଶ ରାଉତରାୟକୁ ଗିରଫକରାଯାଇଥିଲା। ଏହାପରେ ୭ ତାରିଖ ରାତିରେ ପ୍ରକାଶ ଘରେ ଚଢ଼ଉ କରାଯାଇଛି ଲକ୍ଷାଧିକ ଟଙ୍କା ନଗଦ ଓ ଅନ୍ୟ ନଥିପତ୍ର ଜବତ କରିଥିଲା। ୯ ତାରିଖରେ ଛତ୍ରମା ଛକରେ ଥିବା କ୍ରସର ୟୁନିଟ୍‌ ଉପରେ ଚଢ଼ଉକରାଯାଇ ୧୧ରୁ ଉର୍ଦ୍ଧ୍ବ ଟ୍ରକ୍‌, ଟ୍ରାକ୍ଟର ଆଦି ଜବତ କରାଯାଇଥିଲା।