ଅପହରଣକୁ ୪୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏଯାଏଁ କ୍ରସର ମାଲିକଙ୍କ କୌଣସି ସୁରାଗ ମିଳି ପାରୁନାହିଁ

ରାଉରକେଲା: ଜାତୀୟ ରାଜପଥ ଉପରୁ କ୍ରସର ମାଲିକ ଅପହରଣ ଘଟଣା ଏବେ ବି ରହସ୍ୟମୟୀ ହୋଇ ରହିଛି । ଅପହରଣକୁ ୪୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁରାଗ ମିଳିପାରିନାହିଁ । ତାଙ୍କର ମୋବାଇଲ ଫୋନକୁ ଟ୍ରାକ କରାଯାଉଛି । କିନ୍ତୁ ଏହା ପରେ ମଧ୍ୟ ସୁରାଗ ମିଳି ନଥିବା ଜଣାପଡ଼ିଛି । ଅପହୃତ କ୍ରସର ମାଲିକ ଜଣଙ୍କ ହେଲେ ପ୍ରଦୀପ କୁଣ୍ଡୁ ।

କ୍ରସର୍ ମାଲିକ ପ୍ରଦୀପ କୁଣ୍ଡୁ କର୍ମଚାରୀଙ୍କୁ ଦରମା ଟଙ୍କା ପ୍ରଦାନ କରିବାକୁ ୬୬ କିମି ଦୂର ବିଜୟ ବାହାଲକୁ ଯାଇଥିଲେ। ଗତ ଶନିବାର ସନ୍ଧ୍ୟା ୭ଟା ବେଳେ କାମ ସାରି ସେ ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କ ମୋବାଇଲ୍ ଫୋନ୍ ବାଜିଥିଲା। ଏହି କାରଣରୁ ସେ ରାସ୍ତାରେ ଅଟକି ଯାଇ ଫୋନରେ କଥାବାର୍ତ୍ତା ହେଉଥିଲେ। ଏହା ପରେ ତାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଅପହରଣ କରିନେଇଥିବା ସୂଚନା ମିଳିଛି।

ଏହାପରେ ବୀରମିତ୍ରପୁର ପୁଲିସ ଅପହୃତ କ୍ରସର ମାଲିକଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଟଙ୍କା ଆଦାୟ ପାଇଁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର