ରାଉରକେଲା: କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ଅପହରଣ ଘଟଣାରେ ପୁଲିସ ଏଯାଏଁ ସାମାନ୍ୟତମ ସୁରାକ୍ ପାଇପାରିନି। ତେବେ ଏହି ଅପହରଣ ମାମଲାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ବଟି ପାଇଁ ନକ୍ସଲ କିମ୍ବା ପିପୁଲ୍ସ ଲିବରେସନ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ(ପିଏଲ୍ଏଫ୍ଆଇ) ଅପହରଣ କରିଥିବା ଆଲୋଚନା ହେଉଥିଲା। ଏବେ କିନ୍ତୁ ଅନ୍ୟ ଏକ ଚର୍ଚ୍ଚା ଜୋର୍ ଧରିଲାଣି। ଭୁବନେଶ୍ବରର ଏକ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ନିର୍ଦ୍ଦେଶରେ ଏହି ଅପହରଣ କରାଯାଇଥିବା କୁହାଯାଉଛି। ଏନେଇ କିନ୍ତୁ ପୁଲିସ ଆନୁଷ୍ଠାନିକଭାବେ ମୁହଁ ଖୋଲିନି। ଦୁଇଟି ଟିମ୍ ତଦନ୍ତରେ ଲାଗିଥିବା ପୁଲିସ ଦୋହରାଇଛି।
ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ, ପ୍ର୍ରଦୀପ ଦୀର୍ଘବର୍ଷ ହେଲା ଭୁବନେଶ୍ବରରେ ରହି ଠିକା କାମ କରୁଥିଲେ। ଘର ନିର୍ମାଣ ତଥା ଅନ୍ୟାନ୍ୟ ବଡ଼ଧରଣର ଠିକା କାମରେ ଜଡ଼ିତ ଥିଲେ ପ୍ରଦୀପ। ସେତେବେଳେ ଉକ୍ତ ଗ୍ୟାଙ୍ଗଷ୍ଟର୍ ତାଙ୍କୁ କୁଆଡ଼େ ବଟି ମାଗୁଥିଲା। ପ୍ରାୟ ୨/୩ ବର୍ଷପୂର୍ବେ ପ୍ରଦୀପ ଭୁବନେଶ୍ବର ଛାଡ଼ି ରାଉରକେଲାକୁ ପଲାଇ ଆସିଥିଲେ। ସ୍ଥାନୀୟ ସିଭିଲ ଟାଉନସିପ୍ ସ୍ଥିତ ୭/୮ ଏରିଆ ସ୍ଥିତ ବାସଗୃହରେ ସପରିବାର ରହୁଥିଲେ। ଏହାସହ ବୀରମିତ୍ରପୁର ବିଜାଡିହି ଠାରେ କ୍ରସର୍ ଓ ସିମେଣ୍ଟ୍ ଇଟା ତିଆରି କାରଖାନା ସ୍ଥାପନା କରିଥିଲେ। ସବୁ କିଛି ଠିକ୍ଠାକ୍ ଚାଲିଥିବାବେଳେ ସଂପୃକ୍ତ ଗ୍ୟାଙ୍ଗଷ୍ଟର୍ କିନ୍ତୁ ପ୍ରଦୀପଙ୍କ ପିଛା ଛାଡ଼ିନଥିଲା। ଭୁବନେଶ୍ବରରୁ ରହି କୁଆଡ଼େ ତାଙ୍କୁ ଫୋନ୍ ମାଧ୍ୟମରେ ଦାଦା ବଟି ମାଗିଚାଲିଥିଲା। ଏସବୁ କିନ୍ତୁ ଏଡ଼ାଇ ଦେଇଥିଲେ ପ୍ରଦୀପ। ଫଳରେ ଉତ୍ତ୍ୟକ୍ତ ହୋଇ ଅପହରଣ ପାଇଁ ବ୍ଲୁ ପ୍ରିଣ୍ଟ୍ ରଚିଥିଲା ଗ୍ୟାଙ୍ଗ୍ଷ୍ଟର୍। ଯୋଜନା ମୁତାବକ, ଗତ ଶନିବାର ଦିନ ପ୍ରଦୀପ କର୍ମଚାରୀମାନଙ୍କୁ ଦରମା ଦେଇ ବିଜାଡିହି ସ୍ଥିତ କାରଖାନାରୁ କାର୍ରେ ଘରକୁ ଫେରୁଥିଲେ। ଫେରିବା ବାଟରେ, ଜାତୀୟ ରାଜପଥ ୧୪୩ ଠାରୁ ମାତ୍ର ୧/୨ ଶହ ମିଟର ଦୂରତାରୁ ତାଙ୍କୁ ଅପହରଣ କରିନେଇଥିଲେ।
ସ୍ଥାନୀୟ ଅସାମାଜିକ ଯୁବକ ସାମିଲ ସନ୍ଦେହ
ଏହି ଅପହରଣରେ ସ୍ଥାନୀୟ ବୀରମିତ୍ରପୁର ଓ ରାଉରକେଲାର କିଛି ଅସାମାଜିକ ଯୁବକ ସାମିଲ ଥିବା ସନ୍ଦେହ କରାଯାଉଛି। ଏହି ଅସାମାଜିକ ଯୁବକମାନେ ହିଁ ପ୍ରଦୀପଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ପ୍ରଦୀପଙ୍କ ଦିନଚର୍ଯ୍ୟା ଉପରେ ନଜର ରଖୁଥିଲେ। ସେ କେବେ କାରଖାନାକୁ ଏକୁଟିଆ ଯାଆନ୍ତି ସେ ବିଷୟରେ ମଧ୍ୟ ଗୁପ୍ତ ସୂଚନା ସଂଗ୍ରହ କରି ସଂପୃକ୍ତ ଗ୍ୟାଙ୍ଗ୍ଷ୍ଟର୍କୁ ଦେଇଥିବା ସନ୍ଦେହ କରାଯାଉଛି।
କେଉଁଠି ଅଛନ୍ତି, ଏବେ ବି ଅସ୍ପଷ୍ଟ
ଅପହରଣକାରୀମାନେ କେଉଁଠି ପ୍ରଦୀପଙ୍କୁ ରଖିଛନ୍ତି, ତାହା ଏବେ ସ୍ପଷ୍ଟ ହେଉନି। ପୁଲିସ ଝାଡ଼ଖଣ୍ଡ ଯାଇ ଅନ୍ଧାରରେ ବାଡ଼ି ବୁଲାଉଥିବା ଦେଖିବାକୁ ମିଳିଛି। ତେବେ ପ୍ରଦୀପଙ୍କୁ ଅନ୍ୟ ରାଜ୍ୟକୁ ନିଆଯାଇନଥିବା ବି ଆଲୋଚନା ହେଉଛି। ବୀରମିତ୍ରପୁରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଓଡ଼ିଶା ସୀମା ଶେଷ ହେଉଛି। ଝାଡ଼ଖଣ୍ଡ ସୀମଡେଗା ଜିଲ୍ଲାର ବାଂଶଯୋର ହେଉଛି ବୀରମିତ୍ରପୁରଠାରୁ ମାତ୍ର ୨ କିଲୋମିଟର। ବାଂଶଯୋରରେ ଚେକ୍ଗେଟ୍ ରହିଥିବାରୁ ଉକ୍ତ ରାସ୍ତା ଦେଇ ପ୍ରଦୀପଙ୍କୁ ଝାଡ଼ଖଣ୍ଡ ନିଆଯାଇନଥିବା ଆକଳନ କରାଯାଉଛି। ତେବେ ଘଟଣାସ୍ଥଳରୁ ମାତ୍ର ଅନତି ଦୂରରେ ଥିବା କୁମଝରିଆ ପଞ୍ଚାୟତର ଲାତେ-ଡୁମାଙ୍ଗିରି-କଚାରୁ-ଆଖୁରପାଲୀ-ତେତେରକେଲା-ବିଶ୍ରା-ସରଣ୍ଡା ଦେଇ ମନୋହରପୁରକୁ ନିଆଯାଇଥିବା ଆଶଙ୍କା କିନ୍ତୁ ଏଡ଼ାଇ ଦିଆଯାଇନପାରେ। ତେବେ ବିନା ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଗାଁ ରାସ୍ତା ଦେଇ ଅପହରଣ କରିବା ଅସମ୍ଭବ। ଏସବୁ ଆକଳନ, ସନ୍ଦେହ ଭିତରେ ଏବେ ରହସ୍ୟାବୃତ ହୋଇ ରହିଛି ପ୍ରଦୀପ କୁଣ୍ଡ ଅପହରଣ ମାମଲା। ପ୍ରଦୀପଙ୍କୁ ଯଥାଶୀଘ୍ର ଉଦ୍ଧାର କରି ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।