ଶିଆଳି ବେଳାଭୂମି ପର୍ଯ୍ୟଟନସ୍ଥଳ ମାନ୍ୟତାକୁ ୮ବର୍ଷ ବିତିଲା, ପ୍ରଶାସନର ଅଣଦେଖା

ପିକ୍‌ନିକ୍‌ ଋତୁ,ଲୋକଙ୍କ ପ୍ରଥମ ପସନ୍ଦ, କୋଭିଡ଼ ନିୟମକୁ ଫୁ

ଏରସମା: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତରେ ଥିବା ସମୁଦ୍ର ତଟବର୍ତ୍ତୀ ଶିଆଳି ବେଳାଭୂମିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରାଯାଇଥିଲା। ପିକ୍‌ନିକ୍‌ ଋତୁ ଆସିଲେ ପର୍ଯ୍ୟଟକଙ୍କ ପ୍ରଥମ ପ୍ରସନ୍ଦ ଥାଏ ଏହି ଶିଆଳି ବେଳାଭୂମି। ମାତ୍ର ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ସରକାର ଏହି ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଥିଲେ ହେଁ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଏରସମା ପୁଲିସ ପକ୍ଷରୁ ସଚେତନତା କରିବା ସହିତ ଲୋକମାନଙ୍କୁ ନ ଯିବା ପାଇଁ ତାଗିଦ୍‌ କରାଯାଉଛି। ଏହା ସତ୍ତ୍ବେ ଲୋକମାନେ ଲୁଚାଛପାରେ ସେଠାକୁ ଯାଇ ବଣଭୋଜି କରି ଭିଡ଼ ଜମାଉଛନ୍ତି। ଅପର ପକ୍ଷେ ଏହି ଶିଆଳି ବେଳାଭୂମି ପ୍ରତି ପ୍ରଶାସନର କ୍ରମାଗତ ଅବହେଳା ପରିଲକ୍ଷିତ ହେଉଛି। ଏହା ମଧ୍ୟରେ ୮ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ କରାଯାଇନାହିଁ। ଫଳରେ ପର୍ଯ୍ୟଟକମାନେ ଏଠାକୁ ପିକ୍‌ନିକ୍‌ କରିବାକୁ ଆସି ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅର୍ଥ ମଂଜୁରୀ କରାଯାଇଥିବା ବେଳେ ଶିଆଳି ବେଳାଭୂମିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଡିସେମ୍ବର ମାସ ଠାରୁ ପିକ୍‌ନିକ୍‌ ଋତୁ ଆରମ୍ଭ ହେଲେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସି ଏହାର ମନୋରାମ ପରିବେଶକୁ ଉପଭୋଗ କରିଥାନ୍ତି। ଏହାର ବେଳାଭୂମି ହାୱାଖାନା ଠାରୁ ରାମତରା ପର୍ଯ୍ୟନ୍ତ ଦୀର୍ଘ ୩ କିମି ପଡ଼ିରହିଛି।

 

ସମୁଦ୍ର କୂଳେକୂଳେ ପଥରବନ୍ଧ ନିର୍ମାଣ କରାଯିବା ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ଜୁଆରକୁ ଅଟକାଯାଇ ପାରିବ। ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଯାଇ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି। ଶିଆଳିକୁ ଯିବା ପାଇଁ ଦୁଇଟି ରାସ୍ତା ଅଛି। ନଗରୀ ଦେଇ ଶିଆଳିକୁ ଓ ଅନ୍ୟ ପଟେ ଗୋଡ଼ା ବାଟେ ଯିବାକୁ ପଡ଼ିଥାଏ। ଦୁର୍ଭାଗ୍ୟର କଥା ଏହି ଦୁଇଟି ରାସ୍ତା ଅବସ୍ଥା ଶୋଚନୀୟ। ଶିଆଳି ବେଳାଭୂମିର ସମୁଦ୍ରକୂଳରେ ଏକ ଭିଉ ଟାୱାର ନିର୍ମାଣ କରାଯାଇଛି। ହେଲେ ଭିଉ ଟାୱାରଟି ମଧ୍ୟ ବିପଦରେ ରହିଛି। ଏହି ଟାୱାରଟି କେତେବେଳେ ସମୁଦ୍ର ଜୁଆରରେ ଲୀନ ହେବ ତାହା ସମସ୍ତଙ୍କ ମନରେ ଶଙ୍କା ସୃଷ୍ଟି କରିଛି। ତୁରନ୍ତ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିକାଶ ପାଇଁ ସ୍ଥାନୀୟ ସରପଂଚ କେଶବ ପାତ୍ର, ସମାଜସେବୀ ଅରୁଣ ବେହେରା, ପୂର୍ବତନ ସରପଂଚ କ୍ଷେତ୍ରବାସୀ ବେହେରା, ଗଡ଼ହରିଶପୁର ସରପଂଚ ଭୀମସେନ ରାଉତ, ସମାଜସେବୀ ପ୍ରଭାକର ବେହେରା ପ୍ରମୁଖ ଦାବି କରିଛନ୍ତି। ପିଇବା ପାଣି, ପାନ୍ଥନିବାସ ଓ ବିଦ୍ୟୁତ ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ପର୍ଯ୍ୟଟନସ୍ଥୀକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଚଳିତ ବର୍ଷ ପର୍ଯ୍ୟଟନ ବିଭାଗମନ୍ତ୍ରୀ ଓ ଜଳସଂପଦମନ୍ତ୍ରୀ ଶିଆଳି ବେଳାଭୂମି ପରିଦର୍ଶନ କରି ଶିଆଳିର ବିକାଶ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ ନହେବା ସ୍ଥାନୀୟ ସରପଂଚ ଶ୍ରୀ ପାତ୍ରଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର