ଖୋର୍ଦ୍ଧାରେ କାଉ ମଡ଼କ

ଖୋର୍ଦ୍ଧା : ଖୋର୍ଦ୍ଧା ନିକଟସ୍ଥ କାଇପଦର ଓ ଆଖପାଖ ଅଂଚଳରେ ସଂଖ୍ୟାଧିକ କାଉଙ୍କ ମୃତ୍ୟୁକୁ ନେଇ ପୁଣି ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଲୋକଙ୍କ ଏହି ଆଶଙ୍କାକୁ ଜିଲ୍ଲା ପଶୁଚିକିତ୍ସା ବିଭାଗ ଅମୂଳକ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।

ଆଜି ସକାଳେ କାଇପଦର ନିକଟରେ ଏକ କାଜୁ ଜଙ୍ଗଲ ନିକଟବର୍ତୀ ଅଂଚଳରେ ପ୍ରାୟ ୧୦ରୁ ଅଧିକ କାଉ ମରିପଡ଼ିଥିବା ଆଖପାଖର ଲୋକ ଦେଖିବାକୁ ପାଇଥିଲେ । ଏହାପରେ ଆଖପାଖ ଅଂଚଳରୁ ମଧ୍ୟ ଅନୁରୂପ ସୂଚନା ଆସି ପହଂଚିଥିଲା । ତେବେ ଜିଲ୍ଲା ସୂଚନା ପାଇ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଏକ ଟିମ୍ ପହଂଚିବା ପୂର୍ବରୁ କେତେକ ମୃତ କାଉଙ୍କୁ କୁକୁର ନେଇ ଚାଲିଯାଇଥିଲେ । ଟିମ୍ ୪ଟି ମୃତ କାଉଙ୍କୁ ନେଇ ଆସିଥିଲା । କାଉଗୁଡ଼ିକର ମୃତ୍ୟୁ ୫-୬ ଘଂଟା ମଧ୍ୟରେ ହୋଇଥିବା ବେଳେ ଏକସଙ୍ଗରେ ଏତେ ସଂଖ୍ୟକ କାଉ ଅସ୍ୱାଭାବିକ ଭାବେ ମରିବା ନେଇ ଆଖପାଖ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଏନେଇ ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ସୂଚନା ପାଇବା ପରେ ଏକ ୩ ଜଣିଆ ଟିମ୍ ସେଠାରେ ପହଂଚି ୪ଟି ମୃତ କାଉଙ୍କୁ ଆଣିଛନ୍ତି । ମୃତ କାଉଗୁଡ଼ିକୁ କଟକ ଫୁଲନଖରା ଗବେଷଣାକେନ୍ଦ୍ରକୁ ପଠାଯାଇଛି । ସେଠାରୁ କୋଲକତା ଯିବ । ରିପୋର୍ଟ ଆସିବା ବେଳକୁ ୩-୪ ଦିନ ସମୟ ଲାଗିବ । ତେବେ ଏଭଳି ମୃତ୍ୟୁକୁ ନେଇ ବାର୍ଡଫ୍ଲୁ କିମ୍ବା ଅନ୍ୟ ସଂକ୍ରମଣ ନେଇ ଭୟ ଓ ଆଶଙ୍କା କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର