ବିପଦର ବନ୍ଧୁ ‘ସିଆରପିଏଫ୍ ଯବାନ’: ସୀମା ସୁରକ୍ଷା ସହ ଭ‌ୋକିଲାଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା

ଦୈନିକ ଶହେରୁ ଉର୍ଧ୍ବ ପରିବାରକୁ ଯୋଗାଉଛନ୍ତି ଆହାର, ସେବା ପାଣ୍ଠିକୁ ଦରମାରୁ ଯବାନ ଦେଲେଣି ୨.୪୦ ଲକ୍ଷ 

ରାୟଗଡ଼ା: କିଏ ଉତ୍ତରପ୍ରଦେଶ ତ, କିଏ ପୁଣି ବିହାର, ପଶ୍ଚିମବଙ୍ଗ, ପଞ୍ଜାବ ଓ ମହାରାଷ୍ଟ୍ରରୁ ଆସିଛନ୍ତି। ସୀମା ସୁରକ୍ଷା ସହ ଆଇନ ଶୃଂଖଳା ନିୟନ୍ତ୍ରଣ, ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ହେଉଛି ମୁଖ୍ୟ କାମ। ପରିବାରକୁ ହଜାର ହଜାର କିମି ଦୂରରେ ଛାଡ଼ି କର୍ତ୍ତବ୍ୟସ୍ଥଳରେ ଏକାକି ରହୁଥିବା ଯବାନ ବିପତ୍ତି ସମୟରେ  ଗରିବ, ଗୁରୁବାଙ୍କ ପାଇଁ ପାଲଟିଛନ୍ତି ବିପଦର ବନ୍ଧୁ। ଦୈନିକ ଭୋକିଲା, ରୋଜଗାର ହରାଇଥିବା ଲୋକଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରି ଚାଲିଛନ୍ତି। ତାହା ପୁଣି ନିଜ ଦରମା ଅର୍ଥରୁ।

ଲକଡାଉନ୍ ଘୋଷଣା ପରେ ରାୟଗଡ଼ା ଜିଲ୍ଲାକୁ ସିଲ୍ କରିଛି ପ୍ରଶାସନ। ବାହାର ରାଜ୍ୟ କିମ୍ବା ବାହାର ଜିଲ୍ଲାର ଯାନବାହନ ଓ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିବା ବେଳେ ସୀମାନ୍ତରେ ମୁତୟନ ହୋଇଛନ୍ତି ସିଆରପିଏଫ୍ ଯବାନ। ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସିଆରପିଏଫ୍ ୪ର୍ଥ ବାଟାଲିୟନର ୮ ପ୍ଲାଟୁନ୍ ଯବାନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡା, କଳାହାଣ୍ଡି-କନ୍ଧମାଳ ସୀମାକୁ ଲାଗିଥିବା ମାଓ ପ୍ରବଣ ବିଷମକଟକ, କଲ୍ୟାଣସିଂହପୁର, ଗୁଡାରି ଥାନା ଇଲାକାରେ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି। ପ୍ରତି ସୀମାନ୍ତରେ ୨ ପ୍ଲାଟୁନ୍ ଲେଖାଁଏ ପୁଲିସ୍ ୮ ଘଣ୍ଟା ଡ୍ୟୁଟି କରୁଛନ୍ତି। ଖରା, ବର୍ଷାକୁ ଖାତିର୍ ନ କରି ସୀମାନ୍ତ ଦେଇ ଜିଲ୍ଲାକୁ ଆସୁଥିବା ଜରୁରିକାଳୀନ ଯାନବାହନ ଯାଞ୍ଚ ସହିତ କୌଣସି ସନ୍ଦିଗ୍ଧ ବ୍ୟକ୍ତି ଯେମିତି ଜିଲ୍ଲାକୁ ନ ପସନ୍ତି ତା ଉପରେ କଡା ନଜର ରଖିଛନ୍ତି ଯବାନ। ଏଥି ସହିତ ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରହିଛି ଯବାନଙ୍କର।  କିଛି ମାଓବାଦୀ କରୋନାରେ ସଂକ୍ରମିତ ଥିବାରୁ କେଉଁ ଗାଁକୁ ମାଓବାଦୀ ଯେମିତି ପଶି ନ ଆସନ୍ତି ସେ ଦିଗରେ ମଧ୍ୟ କାମ କରୁଛନ୍ତି ଯବାନ। ମାର୍ଚ୍ଚ ୨୫ ତାରିଖରୁ ସୀମାନ୍ତରେ ମୁତୟନ ଥିବା ଯବାନ ବହୁ ଇଲାକାରେ ମୋବାଇଲ୍ ସେବା ନଥିବା କାରଣରୁ ପରିବାର ଲୋକଙ୍କ ସହ ଭଲ ଭାବରେ କଥା ହୋଇ ନାହାନ୍ତି। ଏହା ସତ୍ତ୍ବେ କର୍ମ ହିଁ ଭଗବାନ ନାରାରେ ଦାୟିତ୍ବ ନିର୍ବାହ କରି ଚାଲିଛନ୍ତି।

ସୀମା ସୁରକ୍ଷା ସହ ବିପଦ ସମୟରେ ଯବାନମାନେ ମାନବିକତାର ପରିଚୟ ଦେଇ ନିଜ କାର୍ଯ୍ୟସ୍ଥଳୀର ଗରିବଙ୍କୁ ନିୟମିତ ଭାବେ ଖାଦ୍ୟ ଓ ରାସନ ସାମଗ୍ରୀ ବାଣ୍ଟି ଚାଲିଛନ୍ତି। ଲକଡାଉନ୍ ଯୋଗୁ କାମଧନ୍ଧା ହରାଇ ରାୟଗଡ଼ା ସହରର ବସ୍ତି ଓ ରାସ୍ତାକଡ଼ରେ ଦୁର୍ଦିନରେ ଦିନ କାଟୁଥିବା ଖଟିଖିଆ, ମଜୁରିଆ ଓ ବାସହରା ପରିବାରକୁ ଦୈନିକ ସହାୟତା ପ୍ରଦାନ କରି ବିପଦର ବନ୍ଧୁ ସାଜିଛନ୍ତି ସିଆରପିଏଫ୍ ଯବାନ। ମାର୍ଚ୍ଚ ୩୧ରୁ ଯବାନମାନେ ନିୟମିତ ଭାବେ ସହରର ବସ୍ତି, ରାସ୍ତାକଡ଼, ଗଳିକନ୍ଦିରେ ଥିବା ଲୋକଙ୍କୁ ଖାଦ୍ୟ ଓ ରାସନ ସାମଗ୍ରୀ  ଯୋଗାଇ ଆସୁଛନ୍ତି। ଦୈନିକ ରେଲୱେ ଷ୍ଟେସନ, ମାଙ୍କଡ଼ଝୋଲା, ବସଷ୍ଟାଣ୍ଡ, ଗାୟତ୍ରୀ ନଗର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ, ମନ୍ଦିର ପାର୍ଶ୍ବରେ ଥିବା ଭିକାରୀ, ନାଗାବଳୀ ଛକ, ଘାସି ସାହି, ଥାନା ପାର୍ଶ୍ବ, ଅରବିନ୍ଦ ନଗର, ଫରେଷ୍ଟ ଲାଇନ୍, ରେଲୱେ କଲୋନି ବସ୍ତି ଅଞ୍ଚଳରେ ରହୁଥିବା ଶହେରୁ ଉର୍ଧ୍ବ ଲୋକଙ୍କୁ ସିଆରପିଏଫ୍ ଯବାନ ସହାୟତା ପ୍ରଦାନ କରୁଛନ୍ତି। ଗରିବ, ଗୁରୁବାଙ୍କ ସମେତ କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା ଡାକ୍ତରଖାନାରେ କାର୍ଯ୍ୟରତ ଆଟେଣ୍ଡାଣ୍ଟଙ୍କ ପରିବାରକୁ ମଧ୍ୟ ସହାୟତା ଦେଇଛନ୍ତି ଯବାନ। ସେହିପରି ପୌର ପରିଷଦ ସଫେଇ କର୍ମଚାରୀ ଟିଫିନ୍ ସହ ଅନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ଏହି ସବୁ ସହାୟତା ପାଇଁ ଯବାନମାନେ ନିଜସ୍ବ ସେବା ପାଣ୍ଠି ଗଠନ କରି ଦରମା ଅର୍ଥ ପ୍ରଦାନ କରି ସାମଗ୍ରୀ କିଣିଛନ୍ତି। କର୍ମଭୂମିରେ ଯବାନଙ୍କ ଏପରି ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର