ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ କନ୍ଧମାଳ ଗସ୍ତ, ମେଡିକାଲ କଲେଜ ନିର୍ମାଣ ସ୍ଥିତି ସମୀକ୍ଷା

ଫୁଲବାଣୀ: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ କନ୍ଧମାଳ ଗସ୍ତରେ ଆ‌ସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବମାନେ ଆଜି ପୂର୍ବାହ୍ନ ୧୧ଟା ସମୟରେ ହେଲିକପ୍‌ଟର ଯୋଗେ ଆସି ଜିଲ୍ଲା ସଦର ମହକୁମା ଫୁଲବାଣୀ ନିକଟସ୍ଥ ଗୁଦାରି ଏରୋଡ୍ରମ ପଡ଼ିଆରେ ଓହ୍ଲାଇଥିଲେ। ସେଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ବୃନ୍ଦା ଡି. ସମସ୍ତ ସଚିବମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ସେସବୁର ସମୀକ୍ଷା କରିଥିଲେ।

ବିଶେଷକରି କନ୍ଧମାଳରେ ପ୍ରସ୍ତାବିତ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଫୁଲବାଣୀ‌ ସହର ଉପକଣ୍ଠର କଲାଡ଼ିଠାରେ ୪୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ବୁଲି ଦେଖିଥିଲେ।

ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହାୟତା‌ ଯୋଗେଇ ଦେବାକୁ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ମେଡିକାଲ କଲେଜ ପ୍ରକଳ୍ପର ଡିଜାଇନ୍‌ ଅନୁଧ୍ୟାନ କରିଥିଲେ। ତେବେ ମେଡିକାଲ କଲେଜର ସ୍ଥାନକୁ ଦେଖିବା ପରେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ମୁଖ୍ୟ ଶାସନ ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। ମେଡିକାଲ କଲେଜକୁ ଲାଗି ରହିଥିବା ପାହାଡ଼ରେ ବହୁ ମାତ୍ରାରେ ବୃକ୍ଷରୋପଣ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ପ୍ରସ୍ତାବ ଦେଇଥିଲେ। ଏଠାରେ ଡାକ୍ତର, ପ୍ରଫେସର ଏବଂ ମେଡିକାଲ କଲେଜ କର୍ମଚାରୀଙ୍କ ରହିବା ବ୍ୟବସ୍ଥାରେ ଯେମିତି କୌଣସି ତ୍ରୁଟି ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ୫ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୂଆ ମେଡିକାଲ କଳେଜ କ୍ୟାମ୍ପସରେ ୩୦୦ ସିଟ୍‌ ବିଶିଷ୍ଟ ଛାତ୍ରାବାସ, ୧୫୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ, ୬୫୦ ଲୋକ ବସିଲା ଭଳି ଅଡିଟୋରିୟମ ଏବଂ ୧୦୦ ସିଟ୍‌ବିଶିଷ୍ଟ ଏକ ଡାକ୍ତର ହଷ୍ଟେଲ ନିର୍ମାଣ କରାଯିବ। ଏହାପରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେବାକୁ ଥିବା ସ୍ମାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାକାର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ବୁଲି ଦେଖିଥିଲେ। ସ୍କୁଲର ବିଭିନ୍ନ ସମସ୍ୟା ନେଇ ୫ଟି ସଚିବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ସମେତ ଅନ୍ୟାନ୍ୟ ସଚିବମାନେ ବିଦ୍ୟାଳୟରେ ପହଞ୍ଚିବା ପରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ୍‌ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ। ଫୁଲବାଣୀରେ ହେବାକୁ ଥିବା ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ପାଇଁ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଥିଲା। ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି।

 

ସମ୍ବନ୍ଧିତ ଖବର