ଗ୍ରାହକଙ୍କ ଟଙ୍କା ଆତ୍ମସାତ୍ ମାମଲା, ଟଙ୍କା ଫେରାଇଲେ ସିଏସ୍‌ସି ପରିଚାଳକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିନ୍ଦୁରପୁର ମଡେଲ୍‌ ଗ୍ରାହକ ସେବା କେନ୍ଦ୍ର (ସିଏସ୍‌ସି)ରୁ ଗ୍ରାହକଙ୍କ ଟଙ୍କା ଆତ୍ମସାତ ହୋଇଥିଲା। ଏ ନେଇ ମଙ୍ଗଳବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ପରିଚାଳକ ରାମଜିତ ପଣ୍ଡା ସମ୍ପୃକ୍ତ ଗ୍ରାହକଙ୍କୁ ଟଙ୍କା ଫେରାଇଥିବା ଜଣାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ବାଙ୍କିଘିର୍ଡ଼ି ପଞ୍ଚାୟତ ଅରିଗାଁର ଚିଙ୍କି ମେଲ୍ଲିଙ୍କ ଓ ଭୂମିସୁତା ବାଘଙ୍କ ସିନ୍ଦୁରପୁର ସିଏସ୍‌ସିରେ ଥିବା ଜମାଖାତାରୁ ଟଙ୍କା ଆତ୍ମସାତ ହୋଇଥିଲା। ଅଭିଯୋଗ ଅନୁସାରେ ଚିଙ୍କିଙ୍କ ଖାତାରେ ୨୮ ହଜାର ଟଙ୍କା ଥିଲା। ସେଥିରୁ ଗତ ଗତ ୫ ତାରିଖରେ ସେ ୧୦ ହଜାର ଟଙ୍କା ଉଠାଇଥିଲେ।

ପରଦିନ ଅର୍ଥାତ୍‌ ୬ ତାରିଖରେ ଟଙ୍କା ଉଠାଣ ପାଇଁ ପୁଣି ସିଏସ୍‌ସି ଆସିବାରୁ ତାଙ୍କ ଖାତାରେ ଟଙ୍କା ନଥିବା କେନ୍ଦ୍ର ପରିଚାଳକ କହିଥିଲେ। ପରେ ଜାଣିପାରିଲେ ଯେ ତାଙ୍କ ଜମାଖାତାରୁ ୧୮ ହଜାର ଟଙ୍କା ଆତ୍ମସାତ ହୋଇଛି। ସେହିପରି ଭୂମିସୁତାଙ୍କ ଜମା ଖାତାରୁ ୧୦ ହଜାର ଉଠାଯାଇ ଆତ୍ମସାତ କରାଯାଇଛି। ଉଭୟଙ୍କ ଠାରୁ ସେବା କେନ୍ଦ୍ରର ମାଲିକ ୨୮ ହଜାର ଟଙ୍କା ଆତ୍ମସାତ କରିଥିବା ସେମାନେ ବିନିକା ଏସ୍‌ବିଆଇ ଶାଖା ପରିଚାଳକ ପ୍ରେମରାଜ ସିଙ୍ଗ ମୁଣ୍ଡାଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଆଜି ଉଭୟଙ୍କୁ ଟଙ୍କା ଫେରସ୍ତ ମିଳିଥିବା ଜଣାଯାଇଛି। ବିନିକା ଏସ୍‌ବିଆଇ ଅଧୀନରେ ଏହିପରି ୧୨ଟି ଶାଖା ରହିଛି। ଏହାସହ ଅନ୍ୟାନ୍ୟ ବ୍ୟାଙ୍କର ଜନସେବା କେନ୍ଦ୍ରରେ ଗରିବ ଲୋକଙ୍କ ଟଙ୍କା ବିଭିନ୍ନ ଆ‌ଳରେ ଆତ୍ମସାତ କରାଯାଉଛି। ତେଣୁ ଜିଲ୍ଲା ପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର