ଜୟପୁର: ଗତ ଏପ୍ରିଲ ୧୬ତାରିଖ ଦିନ ସକାଳୁ ଗଙ୍ଗାନଗର ଅଂଚଳରେ ରହୁଥିବା ସ୍ବର୍ଗତ ମହେନ୍ଦ୍ର ସିଂହଙ୍କ ଘରେ ହୋଇଥିଲା ଚୋରି। ଝିଅର ବାହାଘର ପାଇଁ ରଖାଯାଇଥିବା ୩ଲକ୍ଷ ଟଙ୍କା ଓ ସୁନା ଅଳଙ୍କାରର ଲୁଟ୍ ହୋଇଥିଲା। ଏହି ମାମଲାରେ ଟାଉନ ପୁଲିସକୁ ମିଳିଛି ସଫଳତା। ଚିହ୍ନଟ ହୋଇଛି ଲୁଟ କରିଥିବା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଜଗଦଲପୁର ଅଂଚଳର ଜିତୁ ସୋନି। ସଂପ୍ରତି ଅଭିଯୁକ୍ତକୁ ଛତିଶଗଡର ଜଗଦଲପୁର ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି। ତାକୁ ରିମାଣ୍ଡରେ ଆଣିବାକୁ ପୁଲିସ ଜଗଦଲପୁର କୋର୍ଟରେ ଆବେଦନ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।
ମିଳିଥିବା ସୂଚନା ମୁତାବକ, ଗତ ଏପ୍ରିଲ ୧୬ତାରିଖ ଦିନ ସକାଳୁ ଗଙ୍ଗାନଗର ଅଂଚଳରେ ରହୁଥିବା ସ୍ବର୍ଗତ ମହେନ୍ଦ୍ର ସିଂହଙ୍କ ଘରେ ହୋଇଥିଲା ଚୋରି। ପତ୍ନୀ କରୁଣା ସିଂହ ଫୁଲ ତୋଳିବାକୁ ବାହାରକୁ ଯିବା ସମୟରେ ଅଭିଯୁକ୍ତ ଘର ମଧ୍ୟକୁ ପଶି ଲୁଟ କରି ଫେରାର ହୋଇ ଯାଇଥିଲା। ଝିଅର ବାହାଘର ପାଇଁ ରଖାଯାଇଥିବା ୩ଲକ୍ଷ ଟଙ୍କା ଓ ବହୁ ସୁନା ଓ ରୁପା ଅଳଙ୍କାରର ଲୁଟ୍ ହୋଇଥିଲା। ଏହି ଘଟଣାର ତଦନ୍ତ ଏସଡିପିଓ ହରିଶ ବି.ସି କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଅଭିଯୁକ୍ତ ଜଣକ ଜଗଦଲପୁର ଥାନା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧି। ଶହେରୁ ଊର୍ଦ୍ଧ୍ବ ମାମଲା ଅଭିଯୁକ୍ତ ନାଁରେ ରହିଛି। ଅଭିଯୁକ୍ତ ଜଣକ ଜାମିନରେ ବାହାରିବା ପରେ ଜୟପୁର ଆସି ଏହି ଚୋରି କରି ପୁଣି ଜଗଦଲପୁର ଅଂଚଳକୁ ପଳାଇ ଯାଇଥିଲା।
ଜଗଦଲପୁର ପୁଲିସ ଅଭିଯୁକ୍ତକୁ ଏକ ପୁରୁଣା ମାମଲାରେ ଧରିବା ପରେ ଅଭିଯୁକ୍ତ ଜଣକ ସେଠାରୁ ଚୋରି କରିଥିବା ସାମଗ୍ରୀ ଜୟପୁରରେ ଆଣି ବିକ୍ରି କରିଥିବା ସ୍ବୀକାର କରିଥିଲା। ତା’ସହ ଜୟପୁର ଗଙ୍ଗାନଗରରେ ଚୋରି କରିଥିବା ସଂପର୍କରେ କହିଥିଲା। ପରେ ଜୟପୁର ଏସଡିପିଓ ଏ ନେଇ ସୂଚନା ପାଇବା ପରେ ଅଭିଯୁକ୍ତକୁ ପଚାରାଉଚାରା କରିବାରେ ସେ ଚୋରି ସଂପର୍କରେ ସ୍ବୀକାର କରିଥିଲେ। ଅଭିଯୁକ୍ତ ଜଣକ ପୂର୍ବରୁ ଜଗଦଲପୁର ଥାନା ଅଂଚଳରେ ଚୋରି କରି ଧରା ପଡ଼ିଥିବାରୁ ଜଗଦଲପୁର ପୁଲିସ ଜଗଦଲପୁର କୋର୍ଟକୁ ଚାଳାଣ କରିଥିଲେ। ଜୟପୁର ଟାଉନଥାନା ପୁଲିସ ପକ୍ଷରୁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିବା କହିଛନ୍ତି ଟାଉନଥାନା ଅଧିକାରୀ। ସେଭଳି ଅଭିଯୁକ୍ତ ନିକଟରୁ ୫୦ଗ୍ରାମର ସୁନା ଅଳଙ୍କାର ମିଳିଥିବା କହିଛନ୍ତି ଟାଉନଥାନା ଅଧିକାରୀ। କରୁଣା ସିଂହ ପରିବାର କୋର୍ଟରେ ଏହି ସୁନା ନେବା ପାଇଁ ଆବେଦନ କରି କୋର୍ଟର ନିର୍ଦ୍ଦେଶରେ ନେଇ ପାରିବେ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।