ରାଉରକେଲା: ଗତକାଲି ଆର୍ଜିଏଚ୍ରୁ ଚମ୍ପଟ ଦୁଷ୍କର୍ମକାରୀ କାଶ୍ମୀର ହେମ୍ବ୍ରମ୍କୁ ଡ୍ରେନ୍ରୁ ଧରିଲା ପୁଲିସ। ଆଜି ରାଉରକେଲା ଗାଢ଼ାତୋଲା ନିକଟ ଡ୍ରେନ୍ରୁ ବ୍ରାହ୍ମଣୀତରଙ୍ଗ ପୁଲିସ ଓ ରାଉରକେଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଗିରଫ କରାଯାଇଛି। ଚମ୍ପଟ ଦୁଷ୍କର୍ମକାରୀ ବାଟ ନ ଜାଣି ପାରି ଡ୍ରେନ୍ ଭିତରେ ଖସି ପଡ଼ିଥିଲେ। ଗତକାଲି ପୁଲିସ ବହୁ ଖୋଜାଖୋଜି କରି କାଶ୍ମୀରକୁ ପାଇ ନ ଥିଲେ। ଆଜି ସକାଳୁ ଡ୍ରେନ ଭିତରେ ଲୁଚି ଥିବା ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଧରାପଡିବା ଭୟରେ ରାତି ତମାମ୍ ଡ୍ରେନ ଭିତରେ ରହିଥିବାରୁ ତାକୁ ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ରାଉରକେଲା ଏସ୍ପି ବ୍ରାହ୍ମଣୀତରଙ୍ଗ ଥାନାର ଜଣେ ଏପିଆର ଓ ଜଣେ କନେଷ୍ଟବଳଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି। ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ମାସରେ ପୁଲିସକୁ ଚକମା ଦେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପରିସରରୁ ଛେଣ୍ଡ କଲୋନୀର ଦୁଷ୍କର୍ମ ଅଭିଯୁକ୍ତ ଜଟିଆ ଫେରାର୍ ହୋଇଯାଇଥିଲା। ପୁଲିସ ଆଖିରେ ଧୂଳି ଦେଇ ଏଭଳି ଚମ୍ପଟ୍ ମାରିବା ସେତେବେଳେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ରାଉରକେଲା ପୁଲିସର ପାରିବାପଣିଆକୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହି ଘଟଣାକୁ ପ୍ରାୟ ୨ ମାସ ନ ପୂରୁଣୁ ଗତକାଲି ସନ୍ଧ୍ୟାରେ ସମାନ ଘଟଣା ଘଟିଥିଲା।
ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳର ଜଣେ ଯୁବତୀ କିଛି ସାମଗ୍ରୀ କିଣିବାକୁ ଆଇଡିସି ବଜାରକୁ ଆସିଥିଲେ। ଯୁବତୀ ଘରକୁ ଫେରିବା ବାଟରେ ସ୍ଥାନୀୟ ଅଞ୍ଚଳର ଅଭିଯୁକ୍ତ କାଶ୍ମୀର ହେମ୍ବ୍ରମ୍ (୩୭) ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଗତକାଲି ରାତିରେ ହିଁ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା ଦେଇଥିଲେ। ଏତଲା ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଡାକ୍ତରୀ ମାଇନା ପାଇଁ ଅଭିଯୁକ୍ତକୁ ଆର୍ଜିଏଚ୍କୁ ଆଣିଥିଲେ। ସେଠାରେ ଅଭିଯୁକ୍ତ ଖସି ପଳାଇବାର ଯୋଜନା କରିଥିଲା। ସାଙ୍ଗରେ ଥିବା ଦୁଇଜଣ ହୋମ୍ଗାର୍ଡଙ୍କୁ ଡାକ୍ତରଙ୍କ ଠାରୁ ମେଡିକାଲ ରିପୋର୍ଟ ଆଣିବାକୁ କହି ଅର୍ନ୍ତଧ୍ୟାନ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-07-at-5.36.00-PM.jpeg)