ଜୟପୁର: ବହୁଚର୍ଚ୍ଚିତ ଗତ ୨୦୧୮ ମସିହାରେ ଡିସେମ୍ବରରେ ଜୟପୁର ସଦରଥାନା ଅର୍ନ୍ତଗତ ସିଆଡିମାଳ ଗାଁରେ ହୋଇଥିବା ଏକ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୟପୁର ଉପକାରାଗାରରେ ରହି ଆସୁଥିବା ବିଚାରାଧୀନ ଅନ୍ତେବାସୀ କଏଦୀ ସେହି ଗାଁର କମଲୋଚନ ଦଣ୍ଡସେନା(୩୦)ଙ୍କର ଗତ କାଲି ମୃତ୍ୟୁ ହୋଇଥିଲା। ଗତକାଲି ଜୟପୁର ଟାଉନଥାନା ପୁଲିସ ଶବବ୍ୟବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ଆଜି ସକାଳୁ ଜୟପୁର ଉପକାରାଗାର ଅଧିକ୍ଷକ ଉମାଶଙ୍କର ମାଝୀଙ୍କ ଉପସ୍ଥିତିରେ ଜେଲର, ୱାର୍ଡର ଓ ଅନ୍ତେବାସୀ ବିଚାରାଧୀନ କଏଦୀ ମାନେ ଶୋକସଭା କରିଥିଲେ। ମୃତ କମଲୋଚନଙ୍କ ସମ୍ପର୍କରେ ଆଲୋଚନା କରିବା ସହ ବହୁ ଅନ୍ତେବାସୀ ତାଙ୍କ ସ୍ମୃତିକୁ ମନେ ପକାଇ କାନ୍ଦିଥିଲେ। ଅମର ଆତ୍ମାର ସଦଗତି କାମନା କରି ସବୁ ପ୍ରାର୍ଥନା କରିଥିଲେ। ଅପରପକ୍ଷରେ ଏହି ମାମଲାକୁ ନେଇ ମାନବାଧୀକାର କର୍ମୀ ତଥା ଆଇନଜୀବୀ ଅନୁପ ପାତ୍ର ଜାତୀୟ ମାନବିକ ଅଧିକାର କମିସନ ନିକଟରେ ଟୁଇଟ କରି ମାମଲା ରୁଜୁ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ମୃତ କମଲୋଚନ ଭୋର ୫ଟା ବେଳେ ଉପକାରାଗାର ପରିସରରେ ଅଚାନକ ଭାବେ ଅଶ୍ବସ୍ତ ଅନୁଭବ କରିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ୱାର୍ଡର ମାନଙ୍କୁ କହିଥିଲେ। ତାଙ୍କୁ ତୁରନ୍ତ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କୁ ପ୍ରଥମେ ଦେଖିଥିବା ଡାକ୍ତର ଜଣକ କମଲୋଚନଙ୍କର ବାଟରେ ହିଁ ମୃତ୍ୟୁ ହୋଇଥିବା କହିଥିଲେ। ପ୍ରକାଶଯୋଗ୍ୟ, ଗତ ୨୦୧୮ମସିହା ଡିସେମ୍ବରରେ ଜୟପୁର ସଦରଥାନା ଅର୍ନ୍ତଗତ ସିଆଡିମାଳ ଗାଁରେ ଜୈନେକା ବିବାହିତା ମହିଳା ଓତାଙ୍କ ସ୍ବାମୀଙ୍କୁ ମୃତ କମଲୋଚନ ଓ ଅନ୍ୟ ଜଣେ ଅଭିଯୁକ୍ତ ରମେଶ ଦଣ୍ଡସେନା ପ୍ରଚୁର ପରିମାଣର ମଦ ପିଆଇଥିଲେ। ପତି ନିଶାସକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ନିଶାସକ୍ତ ମହିଳାଙ୍କୁ ଉଭୟ ଅଭିଯୁକ୍ତ ଗଣଦୁଷ୍କର୍ମ କରି ପ୍ରବଳ ମାଡ଼ ମାରିଥିଲେ। ଏଥିରେ ମହିଳା ଜଣକ ଗୁରୁତର ହୋଇ ପଡ଼ିବା ସହ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୨ଜଣ ଅଭିଯୁକ୍ତ କମଲୋଚନ ଓ ରମେଶଙ୍କୁ ଗଣଦୁଷ୍କର୍ମ ଓହତ୍ୟା ମାମଲାରେ ଜୟପୁର ସଦରଥାନା ପୁଲିସ କେସ ନଂ ୨୧୧/୨୦୧୮ରେ ଦଫା ୩୭୬, ୩୦୨ରେ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ।