ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ, ପୁଲିସ ମାଡ଼ ମାରିଥିବା ଅଭିଯୋଗ

ବ୍ରହ୍ମପୁର: ପୁଣିଥରେ ବିବାଦ ଘେରକୁ ଆସିଛି ବ୍ରହ୍ମପୁର ପୁଲିସ ଜିଲ୍ଲାର ଗୋଳନ୍ଥରା ଥାନା। ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର ମିଟୁ ବେହେରା(୩୬)। ମିଟୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଆଜି ଏମ୍‌କେସିଜି ମେଡିକାଲରେ ମୃତକଙ୍କ ସମ୍ପର୍କୀୟ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ସେଠାରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସୂଚନା ଅନୁସାରେ, ବେଆଇନ ମଦ କାରବାର ଅଭିଯୋଗରେ ଗତ ୧ତାରିଖରେ ଗୋଳନ୍ଥରା ଥାନା ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ନିକଟରୁ ମୋଟ ୪୫୦ ଲିଟର୍‌ ଦେଶୀ ରନ୍ଧାମଦ ଓ ୫ହଜାର ଲିଟର୍‌ ପୋଚ ଜବତ କରି ନଷ୍ଟ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ମିଟୁ ମଧ୍ୟ ଥିଲେ। ମିଟୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ଆଜି ସକାଳେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଟୁଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସ ତାଙ୍କର ପରିବାରବର୍ଗଙ୍କୁ ଖବର କରିଥିଲା। ମିଟୁଙ୍କ ପରିବାରବର୍ଗ ଓ ବହୁ ଗ୍ରାମବାସୀ ମେଡିକାଲରେ ପହଞ୍ଚିଥିଲେ। ମିଟୁର ଅବସ୍ଥା ଗୁରୁତର ଥିବା ସମୟରେ କିଛି ନଜଣାଇ ମୃତ୍ୟୁ ପରେ ପୁଲିସ ଖବର କରିଛି।

ଏଣୁ ମିଟୁଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଗ୍ରାମବାସୀ ଦାୟୀ କରିଛନ୍ତି। ସେପଟେ ମିଟୁଙ୍କ ପତ୍ନୀ ସୁପ୍ରିୟା ବେହେରା ଅଭିଯୋଗ କରିଛନ୍ତି ଯେ ସ୍ବାମୀଙ୍କୁ ମିଥ୍ୟା ମାମଲାରେ ପୁଲିସ ଗିରଫ କରିଥିଲା। ପୁଲିସ ମାଡ଼ ମାରିବା ଯୋଗୁଁ ସ୍ବାମୀଙ୍କ ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏମ୍‌କେସିଜିରେ ଶବର ପଞ୍ଚନାମା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପରିବାରବର୍ଗ ଶବ ଗ୍ରହଣ କରିବେ ନାହିଁ ବୋଲି ଜିଦ୍‌ କରିଥିଲେ। ଏପରିକି ପୁଲିସ ଓ ଗ୍ରାମବାସୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ପରିବାରବର୍ଗଙ୍କୁ ବୁଝାସୁଝା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସର ଏଭଳି ଅନ୍ୟାୟ ବିରୋଧରେ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ପରିବାରବର୍ଗ କହିଛନ୍ତି।
ପ୍ରକାଶ ଥାଉ କି, ଗତ ୩୦ତାରିଖରେ ମଧ୍ୟ ବ୍ରହ୍ମପୁର ଗେଟବଜାର ଜାଗିଲି ସାହିର ମୁନା ବେହେରା (୫୦) ନାମକ ଜଣେ ବିଚାରାଧୀନ ବନ୍ଦୀଙ୍କ ମଧ୍ୟ ସନ୍ଦେହଜନ ମୃତ୍ୟୁ ଘଟିଥିଲା। ଟାଉନ୍ ଥାନା ପୁଲିସ ଗତ ୨୭ତାରିଖରେ ମୁନାଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ୨୯ ତାରିଖରେ ସେ ଜେଲ୍‌ରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ୩୦ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର