ଅନୁଗୁଳ: ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବେ ଟାଙ୍ଗିରେ ହାଣି ହତ୍ୟା କରିଥିବା ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଛେଣ୍ଡିପଦା ଥାନା ପୁରିଆବେଡ଼ା ଗାଁର ଭିକାରୀ ନାଏକଙ୍କୁ ଘର ସମ୍ମୁଖରେ ମିଟୁ ନାଏକ ଓ ହର ନାଏକ ୨୦୧୫ ଅଗଷ୍ଟ ୧୭ ତାରିଖ ସନ୍ଧ୍ୟାରେ ହାଣି ଦେଇଥିଲେ। ଏହି ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରିଆବେଡ଼ା ଗାଁର ଭିକାରୀ ନାଏକଙ୍କ ସହ ସେହି ଗାଁର ମିଟୁ ନାଏକଙ୍କ ଜମି ବିବାଦ ଲାଗି ରହିଥିଲା। ଏକ ମକାପଦାକୁ ନେଇ ଦୁଇ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଥିଲାବେଳେ ୨୦୧୫ ଅଗଷ୍ଟ ୧୭ ତାରିଖରେ ଏହା ଉଗ୍ର ରୂପ ଧାରଣ କରିଥିଲା।
ଦୁଇ ପରିବାର ଭିତରେ ଝଗଡ଼ା ବଢ଼ିବା ପରେ ହଠାତ୍ ମିଟୁ ଏକ ଟାଙ୍ଗି ଧରି ଭିକାରୀଙ୍କୁ ଗୋଡ଼ାଇଥିଲେ। ମିଟୁଙ୍କ ଶଳା ହର ଭିକାରୀଙ୍କୁ ଜୋର୍ କରି ଧରିଥିଲାବେଳେ ମିଟୁ ଭିକାରୀଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଭିକାରୀଙ୍କ ମୃତ୍ୟୁ ହୋଇଥିଲା। ଏଥିନେଇ ଭିକାରୀଙ୍କ ପତ୍ନୀ ଶୋଭାଗିନୀ ନାଏକ ଛେଣ୍ଡିପଦା ଥାନାରେ ଏତଲା ଦେବା ପରେ ପୁଲିସ ୧୨୮/୧୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହି ମାମଲାରେ ଦୁଇ ଅଭିଯୁକ୍ତ ମିଟୁ ଓ ହରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀ କରୁଥିଲେ। ଏଥିରେ ୧୨ ଜଣ ସାକ୍ଷ୍ୟ ଗ୍ରହଣ ସହ ବିଭିନ୍ନ ପ୍ରମାଣକୁ ଭିତ୍ତିକରି ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହାସହିତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ମାମଲାକୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ପରିଚାଳନା କରୁଥିଲେ।