ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଇଲାକାରେ ଦଳିତ ବର୍ଗର ଦୁଇଜଣ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଜଜ୍ ଗଣେଶ୍ବର ପତି ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୋଳନ୍ଥରା ଥାନା ଗୋବିନ୍ଦବିହାରର ଡ୍ରାଇଭର୍ ବୁଡ଼ୁ ମଲାଣ(୩୩)କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଉଭୟ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋର୍ଟ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୦୧୫ ଏପ୍ରିଲ୍ ୨ତାରିଖରେ ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀ ପ୍ରାତଃ ଭ୍ରମଣ ସାରି ଘରକୁ ସାଇକେଲରେ ଫେରୁଥିଲେ। ଏହି ସମୟରେ ଟ୍ରାକ୍ଟର୍ ଡ୍ରାଇଭର ବୁଡ଼ୁ ଉଭୟଙ୍କୁ ଧକ୍କା ଦେଇଥିଲା। ଧକ୍କା ଖାଇ ଦୁଇ ଭଉଣୀ ତଳେ ପଡ଼ିଯିବା ପରେ ଗୋବିନ୍ଦବିହାର ରେଳ ଲାଇନ୍ ନିକଟରେ ବୁଡ଼ୁ ଜଣଙ୍କ ସହିତ ଦୁଷ୍କର୍ମ କରିଥିଲା।
ଏହା ଦେଖି ଅନ୍ୟ ସମ୍ପର୍କୀୟ ଭଉଣୀ ପ୍ରତିବାଦ କରି ବୁଡ଼ୁ ଉପରକୁ ପଥର ଫିଙ୍ଗିଥିଲେ। ବୁଡ଼ୁ ଉତ୍ୟକ୍ତ ହୋଇ ଅମାନୁଷିକ ଭାବେ ତାଙ୍କ ସହିତ ମଧ୍ୟ ଦୁଷ୍କର୍ମ କରିଥିଲା। ଘଟଣା ପରେ ଅଭିଯୁକ୍ତ ବୁଡ଼ୁ ସେଠାରୁ ଚମ୍ପଟ ମାରିଥିଲା। ଦୁଇ ଭଉଣୀ ଚେତାଶୂନ୍ୟ ହୋଇ ସେଠାରେ ପଡ଼ି ରହିଥିବା ବେଳେ ଜଣେ ଅଙ୍ଗନବାଡ଼ି କର୍ମୀ ଉଭୟଙ୍କୁ ଉଦ୍ଧାର କରି ତାଙ୍କର ଘରେ ଛାଡ଼ିଥିଲେ। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିଥିଲେ। ଗୋଳନ୍ଥରା ଥାନା ପୁଲିସ କେସ୍ ନମ୍ବର ୩୧/୧୫ରେ ଦୁଷ୍କର୍ମ ମାମଲା ରୁଜୁ କରି ଟ୍ରାକ୍ଟର୍ ଡ୍ରାଇଭର୍ ବୁଡ଼ୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଆଜି ପର୍ଯ୍ୟନ୍ତ ଜେଲ୍ରେ ଥିଲା। ତତ୍କାଳୀନ ସଦର ଏସ୍ଡିପିଓ ହରିହର ପାଣି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ମାମଲାର ବିଚାରଣା ବେଳେ ୨୮ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା। ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ଅଭିଯୁକ୍ତ ବୁଡ଼ୁକୁ ଆଜି ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ।