ଉମରକୋଟ: ଏକ ହତ୍ୟା ଘଟଣାରେ ଆଜି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ବାପା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ୧୩/୩/୨୦୧୬ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୁନ୍ଧେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମରେ ସକାଳ ପ୍ରାୟ ୧୦ଟା ସମୟରେ ଏକ ବିବାଦୀୟ ଜମିରେ ଥିବା ତେନ୍ତୁଳି ଗଛରୁ ଅଭିଯୁକ୍ତ ମଣିରାମ ଗଣ୍ଡ ଓ ତାଙ୍କ ପୁଅ ଦେବକୁମାର ଗଣ୍ଡ ତେନ୍ତୁଳି ଝଡାଉ ଥିଲେ। ଏହି ସମୟରେ ମୃତକ ମାୟାରାମ ୟମ ଗଣ୍ଡ ଆସି ତେନ୍ତୁଳି ତୋଳିବା ପାଇ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମଣିରାମ ଓ ଦେବକୁମାର ମାୟାରାମଙ୍କୁ ଗାଳି ଗୁଲଜ କରିବା ସହ ମଣିରାମ ମାୟାରାମର ଦୁଇଟା ଗୋଡକୁ ଧରି ତଳେ କଚାଡି ପକାଇ ଦେଇଥିଲ। ପରେ ମଣିରାମର ପୁଅ ଦେବକୁମାର ଟାଙ୍ଗିଆରେ ମାୟାରାମର ମୁଣ୍ଡକୁ ହାଣି ଦେବା ଫଳରେ ଘଟଣା ସ୍ଥଳରେ ହିଁ ମାୟରାମର ମୃତ୍ୟୁ ଘଟିଥିଲା।
ଘଟଣା ଘଟିବା ପରେ ମାୟାରାମର ପୁଅ ପ୍ରୀତରାମ ଗଣ୍ଡ କୁନ୍ଧେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଧାରା ୩୦୨/୩୪ରେ ମକଦ୍ଦମା ରୁଜ୍ଜୁ କରି ମଣିରାମ ଓ ଦେବ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଣିରାମ କିଛି ବର୍ଷ ଜେଲରେ ବିତାଇବା ପରେ ଜାମିନରେ ଥିଲେ। କିନ୍ତୁ ପୁଅ ଦେବ କୁମାର ଆଜି ପର୍ଯ୍ୟନ୍ତ ଜେଲରେ ଅଛନ୍ତି। ସର୍ବମୋଟ ୨୬ ଜଣ ସାକ୍ଷୀଙ୍କର ବୟାନକୁ ଆଧାର କରି ଭାରତୀୟ ପିଙ୍ଗଳ କୋଡର ଧାରା ୩୦୨/୩୪ ଅନୁଯାୟୀ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ ଗିରିଜା ପ୍ରସାଦ ମହାପାତ୍ର ମଣିରାମ ଗଣ୍ଡ ଓ ଦେବକୁମାର ଗଣ୍ଡଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେବା ସହ ପ୍ରତ୍ୟେକଙ୍କୁ ୧୦୦୦୦/ ଟଙ୍କା ଜୋରିମାନା ପୈଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାମଦେୟ କ୍ଷେତ୍ରରେ ୨ ଅଭିଯୁକ୍ତଙ୍କୁ ଅଧିକା ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।