ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସ ଓ ଗୁଣି ଗାରେଡ଼ିକୁ ନେଇ ହତ୍ୟା ଦିନକୁ ଦିନ ବଢ଼ି ଚାଲିଛି। ତେବେ ଏନେଇ ୨୦୨୨ ମସିହାରେ ଜଣେ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିଲା। ତେବେ କୋର୍ଟ ଆଜି ମଙ୍ଗଳବାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛି। ଅଭିଯୋଗ ଅନୁଯାୟୀ ଜାମଦା ଥାନା ଅନ୍ତର୍ଗତ ତାଳଗାଁ ଗ୍ରାପର ବଡାମତାଳିଆ ସର୍ଗତଃ କୁଜିଆ ଜାମୁଡାଙ୍କ ଝିଅ ଗାଙ୍ଗୀ ଜାମୁଡା(୭୦) ଗତ ୧୬ ଜୁଲାଇ ୨୦୨୨ରେ ଗ୍ରାମର ସ୍କୁଲ ପାଖ ନଳକୂପକୁ ଗାଧେଇବାକୁ ଯାଇଥିବା ସମୟରେ ପଡ଼ୋଶୀ ମଦନ ପିଙ୍ଗୁଆ (୬୬) ଏକ ଠେଙ୍ଗା ସାହାଯ୍ୟରେ ପିଟି ହତ୍ୟା କରିଛି। ମଦନର ସ୍ତ୍ରୀ ମାକି ପିଙ୍ଗୁଆ ଗତ ବର୍ଷ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତେବେ ମଦନ ତାଙ୍କ ସ୍ତ୍ରୀକୁ ଡାହାଣୀ ଖାଇଦେଇଥିବା ସନ୍ଦେହ କରିଥିଲେ ଏବଂ ତାଙ୍କ ପଡୋଶୀ ଗାଙ୍ଗୀଙ୍କୁ ଡାହାଣୀ ସନ୍ଦେହ କରୁଥିଲେ।
Advertisment
ତେବେ  ଗାଙ୍ଗୀଙ୍କୁ ଏକୁଟିଆ ପାଇ ଠେଙ୍ଗା ସାହାଯ୍ୟରେ ପିଟିଥିଲା। ଏଥିରେ ଗାଙ୍ଗୀ ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାମଦା ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି କେସ ନଂ ୭୦/୨୨ ରେ ଏକ ଅପମୃତ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରିଥିଲା। ଏନେଇ ଆଜି ହତ୍ୟାକାରୀ ମଦନ ପିଙ୍ଗୁଆ(୬୬)କୁ ହତ୍ୟା ମାମଲାରେ ରାଇରଙ୍ଗପୁର ଅତିରିକ୍ତ ଜିଲା ଓ ଦୌରାଜଜ ଦୀପକ କୁମାର ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ରାୟରେ ଶୁଣାଇଛନ୍ତି। ଏହି ମାମଲାରେ ଏଡିଜେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ପଙ୍କଜ କୁମାର ଦାସ ମାମଲା ପରିଚାଳନା କରିଥିଲେ।