ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଦୌରା ଜଜ୍‌ ରେଖାପ୍ରସାଦ ଆଜି ଏହ ହତ୍ୟା ମାମଲାର ଶୁଣାଣୀ କରି ଏମଭି-୭୯ ଥାନା ଅନ୍ତର୍ଗତ ପୂଜାରିଗୁଡା ଗ୍ରାମର ଅଭିଯୁକ୍ତ ଜଗା କୁରାମିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଜଜ୍‌ ଶୁଣାଇଛନ୍ତି। ପ୍ରକାଶ ଥାଉକି, ଗତ ୨୦୧୬ ମସିହା ଡିସେମ୍ବର ୧ ତାରିଖ ଦିନ ଏମଭି-୭୯ ଥାନା ଅନ୍ତର୍ଗତ ସିମିଳିବାଞ୍ଛ ପଞ୍ଚାୟତର ସରପଞ୍ଚ ସିଙ୍ଗା ମାଡକାମୀ ଥାନାରେ ଏତଲା ଦାୟର କରିଥିଲେ। ଏତଲାରେ ଦର୍ଶାଯାଇଥିଲା ଯେ ପୂଜାରୀଗୁଡା ଗ୍ରାମର ଅଭିଯୁକ୍ତ ଜଗା କୁରାମୀ ଏବଂ  ଦେଶା ସୋଡି ସମ୍ପର୍କରେ କକା ଓ ପୁତୁରା ଅଟନ୍ତି। ସେ ଦୁହିଁଙ୍କ ମଧ୍ୟରେ ସବୁବେଳେ ଥଟ୍ଟା ପରିହାସ ଲାଗି ରହିଥାଏ। ମାମୁଁ ଝିଅକୁ ଜଗା ବାହା ହୋଇପାରିନଥିବାରୁ ଏବଂ ମାମୁଁ ଝିଅ ଅନ୍ୟତ୍ର ବାହା ହୋଇଯିବାରୁ ଦେଶା ସବୁବେଳେ ଜଗାକୁ ଏ ବିଷୟରେ ଥଟ୍ଟା କରୁଥାଏ। ଏହି ବିଷୟରେ ଜଗା ରାଗିଯାଇ କକା ଦେଶାକୁ ହତ୍ୟା କରିବାର ଯୋଜନା କରିଥିଲା। ୨୦୧୬ ନଭେମ୍ବର ୩୦ ତାରିଖ ଦିନ ଦେଶା ମୋବାଇଲ ଚାର୍ଜର ନେବା ପାଇଁ ଜଗାର ଭାଇଭାଉଜ ଘରକୁ ରାତି ୮ଟାରେ ଆସିଥିଲା। ସେତେବେଳେ ଜଗା ତାର ନିଜ ବାରଣ୍ଡାରେ ବସି ଗୀତ ଶୁଣୁଥିଲା।

ଏହି ସମୟରେ ଜଗାର ଭାଇଭାଉଜକୁ ଜଗା କିପରି ତାର ମାମୁଁ ଝିଅକୁ ବାହା ହୋଇପାରିଲା ନାହିଁ ସେନେଇ ସତ ମିଛ କହୁଥିବାରୁ ଜଗା ଏଥିରେ ରାଗି ଯାଇ ଘର ପାଖରେ ପଡିଥିବା ଏକ ଶକ୍ତ ବାଡି ଆଣି ଦେଶା ଭାଇଭାଉଜ ଘରୁ ବାହାରୁଥିବା ସମୟରେ ତାର ମୁଣ୍ଡ ଏବଂ ଶରୀରରେ ଶକ୍ତ ପ୍ରହାର କଲା। ଦେଶା ତଳେ ପଡିଯିବାରୁ ଜଗା ଘର ସାମ୍ନାରେ ପଡିଥିବା ଏକ ବଡ ପଥର ଆଣି ଦେଶାର ମୁଣ୍ଡରେ କଚାଡି ଦେବାରୁ ଦେଶାର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଏମଭି-୭୯ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଜଗା କୁରାମିକୁ କୋର୍ଟ ଚାଲାଣ କରିଥିଲେ। ଆଜି ଜିଲ୍ଲା ଜଜ୍‌ ରେଖା ପ୍ରସାଦ ଏହି ହତ୍ୟା ଘଟଣାର ୨୦ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଜଗାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦାୟ ନେଇ ରାୟ ଦେଇଥିଲେ। ଜୋରିମାନା ଅନାଦେୟ ହେଲେ ଆହୁରି ୬ ମାସ କାରାଦାଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। ଏହି କେସଟିକୁ ସରକାରୀ ଓକିଲ ମହିନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର