ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠୁ ଲୁଟ୍‌ ଘଟଣାର ପର୍ଦ୍ଦାଫାସ; ଅଭିଯୋଗକାରୀ ରଚିଥିଲେ ଲୁଟ୍‌ ନାଟକ

ବାପା ବି ସାମିଲ୍‌, ୩ ଲକ୍ଷ ଟଙ୍କା ଜବତ

ପଟ୍ଟାମୁଣ୍ତାଇ: ବ୍ୟବସାୟୀଙ୍କ ମୁଣ୍ତରେ ବ˚ଧୁକ ଲଗାଇବା ସହ ମାଡ଼ ମାରି ୩ ଲକ୍ଷ ଟଙ୍କା ଲୁଟିନେ‌ଲେ ବୋଲି ଥାନାରେ ଏତଲା ହେଲା। ଏଭଳି ଅଭିଯୋଗ ପାଇ ରାତି ୧୦ଟାରେ ନିଜେ ଏସ୍‌ପି ମଦକର ସନ୍ଦୀପ ସ˚ପଦ ଅଭିଯୋଗକାରୀ ପ୍ରତ୍ୟୁଷ କୁମାର ମିଶ୍ରଙ୍କ ବାଇକ୍‌ରେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ। ପଟ୍ଟାମୁଣ୍ତାଇ ପୁଲିସ ବି ପହଞ୍ଚି ଛାନଭିନ୍‌ କଲା। ଏହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏବେ ତଦନ୍ତରୁ ଯାହା ସାମ୍ନାକୁ ଆସିଛି ତାହା ହୋସ୍‌ ଉଡ଼ାଇଦେଲା ଭଳି। ‘ଏମିତି କୌଣସି ଘଟଣା ଘଟିନାହିଁ। ଏତଲା ମିଛ। ସିମେଣ୍ଟ କମ୍ପାନିର ୩ ଲକ୍ଷ ଟଙ୍କା ଫାଙ୍କିବାକୁ ଅଭିଯୁକ୍ତ ଓ ତାଙ୍କ ବାପା ଏଭଳି ଲୁଟ୍‌ର ନାଟକ ରଚିଥିଲେ’ ବୋଲି ଆଜି ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଗାର୍ଗି ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ଘରୁ ଲୁଟ୍‌ ଟଙ୍କା ଜବତ କରାଯାଇଥିବା ବେଳେ ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବା କହିଛନ୍ତି। ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଗତ ୨୮ ତାରିଖରେ ଚଉଦକୁଲାଟ ତମାଳଶାସନ ଗ୍ରାମର ପ୍ରତ୍ୟୁଷ କୁମାର ମିଶ୍ର ୩ ଲକ୍ଷ ଟଙ୍କା ନେଇ ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ଯାଉଥିଲେ। ଚନ୍ଦନପୁର-ନୀଳକଂଠପୁର ରାସ୍ତାରେ ଦୁଇଟି ବାଇକ୍‌ରେ ୫ ଜଣ ଯୁବକ ବନ୍ଧୁକ ଲଗାଇ ତାଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ କରି ନେଇଥିବା ଶ୍ରୀ ମିଶ୍ର ପଟ୍ଟାମୁଣ୍ତାଇ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଏସ୍‌ପି ମଦକର ସଂଦୀପ ସଂପଦ ଟେଲିଫୋନ ଯୋଗେ ଅଭିଯୋଗକାରୀଙ୍କ ସହ କଥା ହେବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଖୋଦ୍‌ ଏସ୍‌ପି ଅଭିଯୋଗକାରୀଙ୍କ ମଟରସାଇକଲରେ ବସି ଘଟଣାସ୍ଥଳକୁ ଯାଇଥିଲେ। ଏହାପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍‌ ବି ଗଠନ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଶ୍ରୀ ମିଶ୍ରଙ୍କ ହାବଭାବରୁ ପୁଲିସର ସନ୍ଦେହ ତାଙ୍କ ଉପରେ ବଢିଥିଲା। ପଚରାଉଚୁରା ପରେ ଘଟଣାର ରହସ୍ୟ ଉପରୁ ପର୍ଦ୍ଦା ଉଠିଥିଲା।

ଅସଲ କଥା ସାମ୍ନା ଆସିଥିଲା ବୋଲି ଅତିରିକ୍ତ ଏସପି ଶ୍ରୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ ଗତ ୨୮ ତାରିଖ ଦିନ ପ୍ରତ୍ୟୁଷ ପ୍ରଥମେ ୪ ଲକ୍ଷ ଟଙ୍କା ନେଇ ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ଯାଇ ଟାଟା ଷ୍ଟିଲ କଂପାନିରେ ଡିପୋଜିଟ କରି ଆସିଥିଲେ। ମାତ୍ର ଭୁଲବସତଃ ରସିଦ ଆଣିବାକୁ ଭୁଲିଯାଇଥିଲେ। ଘରେ ପହଞ୍ଚି ପୁନରାୟ ରସିଦ ଆଣିବାକୁ ବ୍ୟାଙ୍କୁ ଯାଇଥିଲେ। ଯିବା ବାଟରେ ଜଣେ ମଟରସାଇକଲ ଆରୋହୀଙ୍କ ସହିତ ତାଙ୍କର ଧକ୍କା ହେବା ସହ ପାଟିତୁଣ୍ତ ହୋଇଥିଲା। ଏହାପରେ ଧକ୍କା ଦେଇଥିବା ମଟରସାଇକେଲ ଆରୋହୀ ଓ ତାଙ୍କ ଦୁଇ ସହଯୋଗୀ ମିଶି ପ୍ରତ୍ୟୁଷଙ୍କୁ ମାଡ଼ ମାରି ପଳାଇଯାଇଥିଲେ। ପ୍ରତ୍ୟୁଷ ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଟେଲିଫୋନ କରି ଏହି ଘଟଣା ସମ୍ପର୍କରେ ଜଣାଇବା ବେଳେ ଦୁହେଁ ମିଶି ଏହି ଲୁଟ ନାଟକ ରଚିଥିଲେ। ଏମାନଙ୍କୁ ପୂର୍ଣ୍ଣଚନ୍ଦ୍ରଙ୍କ ବଡ଼ଭାଇ ବି ସହଯୋଗ କରିଥିଲେ। ପ୍ରତ୍ୟୁଷଙ୍କ ଚଉଦକୁଲାଟ ବଜାରରେ ଏକ ସିମେଣ୍ଟ ଓ ରଡ୍‌ ଦେକାନ ରହିଛି। ଏକ ସିମେଣ୍ଟ କଂପାନିକୁ ସେମାନେ ୩ ଲକ୍ଷ ଟଙ୍କା ଦେବାର ଥିଲା। ଏହି ଟଙ୍କା ଫାଙ୍କିବା ପାଇଁ ସେମାନେ ଏଭଳି ଲୁଟ ନାଟକ ରଚିଥିଲେ। ଘଟଣା ପରେ ସେମାନେ ପଟ୍ଟାମୁଣ୍ତାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ୩ ଲକ୍ଷ ଟଙ୍କା ପ୍ରତ୍ୟୁଷଙ୍କ ଘରୁ ଜବତ କରାଯାଇଛି ବୋଲି ଅତିରିକ୍ତ ଏସପି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାମୁଣ୍ତାଇ ଏସଡିପିଓ ରଂଜନ କୁମାର ଦେ, ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର